
ନୂଆଦିଲ୍ଲୀ, ୨୦ ଅଗଷ୍ଟ (ହି.ସ.)- ଜେନ-ଜି ଙ୍କ ମଧ୍ୟରେ ନିଜର ଆଧିପତ୍ୟକୁ ସୁଦୃଢ଼ କରିବା ଏବଂ ଯୁବକମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ନୂଆ ରଣନୀତି ପ୍ରସ୍ତୁତ କରିଛି । ଦଳ ବର୍ତମାନ ପାରମ୍ପରିକ ଏକମୁଖୀ ବାର୍ତା ପରିବର୍ତେ ଇନଷ୍ଟାଗ୍ରାମ, ସ୍ନାପଚାଟ୍ ଏବଂ ରେଡିଟ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇଂଟରାକ୍ଟିଭ୍ ଯୋଗାଯୋଗ ବୃଦ୍ଧି କରିବା ସହିତ କଲେଜ, ବିଶ୍ୱବିଦ୍ୟାଳୟ ଏବଂ କୋଚିଂ ଅନୁଷ୍ଠାନରେ ସିଧାସଳଖ ଛାତ୍ରମାନଙ୍କୁ ଭେଟିବା ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛି ।
ନିଟ୍ ପରୀକ୍ଷା ବିବାଦ ପରେ ଛାତ୍ର ମାନଙ୍କ ଆନ୍ଦୋଳନ ଏବଂ ଯୁବବର୍ଗ ମଧ୍ୟରେ ସୃଷ୍ଟି ହୋଇଥିବା ମାହୋଲ୍ କୁ ଦୃଷ୍ଟିରେ ରଖି ଦଳ ୧୪ ରୁ ୨୨ ବର୍ଷ ବୟସର ଯୁବବର୍ଗଙ୍କ ନିକଟରେ ପହଂଚିବାକୁ ନିଷ୍ପତି ନେଇଛି । ଏଥିପାଇଁ ସମସ୍ତ ରାଜ୍ୟର ସଂଗଠନକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଏବଂ ଏହି ଅଭିଯାନ ବର୍ଷସାରା ଚାଲିବ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭିଯାନ ଦୁଇଟି ସ୍ତରରେ କରାଯିବ । ପ୍ରଥମତଃ ଡିଜିଟାଲ ଆଉଟରିଚ୍ ଇନଷ୍ଟାଗ୍ରାମ, ସ୍ନାପଚାଟ୍ ଏବଂ ରେଡିଟ୍ ଭଳି ପ୍ଲାଟଫର୍ମରେ ଯୁବପିଢ଼ିଙ୍କ ଭାଷା ଏବଂ ଶୈଳୀରେ ଯୋଗାଯୋଗ । ଟେକ୍ସଟ୍ ପରିବର୍ତେ ରିଲ୍, କ୍ଷୁଦ୍ର ଭିଡ଼ିଓ ଏବଂ ଭିଜୁଆଲ୍ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯିବ । ଯୁବକମାନଙ୍କ ରାୟ ଏବଂ ମତାମତ ପାଇବା ପାଇଁ ଏକ ଦ୍ୱିମୁଖୀ ଯୋଗାଯୋଗ ରଣନୀତି ପ୍ରସ୍ତୁତ କରାଯିବ ।
ଏବଂ ଦ୍ୱିତୀୟରେ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ, ସଂଗଠନର ପଦାଧିକାରୀ ଏବଂ କର୍ମୀମାନେ ଅନୁଷ୍ଠାନଗୁଡ଼ିକରେ ସିଧାସଳଖ ଭାବ ବିନିମୟ କରିବେ । ସେ କଲେଜ, ବିଶ୍ୱବିଦ୍ୟାଳୟ, ବିଦ୍ୟାଳୟ, କୋଚିଂ ପ୍ରତିଷ୍ଠାନ ଏବଂ କ୍ରୀଡ଼ା କ୍ଲବରେ ଛାତ୍ରଛାତ୍ରୀଙ୍କ ସହ ଅନୌପଚାରିକ କଥାବାର୍ତା କରିବେ । ଏହି ବାର୍ତାଳାପକୁ ଅରାଜନୈତିକ ରଖାଯିବ ଏବଂ ଦଳର ପତାକା ଏବଂ ବ୍ୟାନର ବ୍ୟବହାର କରାଯିବ ନାହିଁ ।
ଗଣମାଧ୍ୟମକୁ କାର୍ଯ୍ୟକ୍ରମ ଠାରୁ ଦୂରରେ ରଖାଯିବ ଏବଂ କଥାବାର୍ତା ପରେ କୌଣସି ସାର୍ବଜନୀନ ବିବୃତି ଦିଆଯିବ ନାହିଁ । ଯଦି ଛାତ୍ରଛାତ୍ରୀମାନେ ବାର୍ତାଳାପ ରେକର୍ଡ କରନ୍ତି, ତେବେ ସେମାନଙ୍କୁ ବାରଣ କରାଯିବ ନାହିଁ । ଯୁବକମାନଙ୍କ ସୁବିଧା ଅନୁଯାୟୀ ଭାବବିନିମୟର ମାଧ୍ୟମ ଏବଂ ସ୍ଥାନ ସ୍ଥିର କରାଯିବ । ପରୀକ୍ଷା, ପାଠ୍ୟକ୍ରମ, ନିଯୁକ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା, କ୍ୟାରିୟର ଏବଂ ଭବିଷ୍ୟତ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏହି ଅଭିଯାନ ଅଧୀନରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବ । ସମସ୍ୟା ପାଇଁ ପୂର୍ବ ସରକାରମାନଙ୍କୁ ଦାୟୀ କରିବା ପରିବର୍ତେ ସମାଧାନ ଉପରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦିଆଯିବ । ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗରେ ଯୁବକମାନଙ୍କ ମତାମତ ଜାଣିବା ପାଇଁ ମଧ୍ୟ ପ୍ରୟାସ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ