
ବଲାଙ୍ଗୀର, ୨୫ ଅଗଷ୍ଟ(ହି.ସ.) – ଆଗଲପୁର(ଡୁଡ଼ୁକା) ବ୍ଲକ୍ର ସମ୍ମିଳନୀ କକ୍ଷ ଠାରେ ଅରୁଣା, ଆଇସିଡିଏସ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ବଲାଙ୍ଗୀରର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଲିମ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ବିଡିଓ ଆଗଲପୁର କହିଲେ ଶିଶୁମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀ କାଳୀନ ଭିତିରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠିରୁ ଶତକଡ଼ା ୫ ପ୍ରତିଶତ ସହ ଅର୍ଥକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ। ଏହି ଅବସରରେ ସିଡିପିଓ ଶୁଭଶ୍ରୀ ମିଶ୍ର ବାଲ୍ୟବିବାହ ବନ୍ଦ କରିବା, ବାଲ୍ୟ ବିବାହ ଅଧିକାରୀମାନେ ପଂଚାୟତ ସ୍ତରରେ ବୋର୍ଡ ଲଗାଇବା, ବେଟି ବଚାଓ ବେଟି ପଢ଼ାଓ ଉପରେ ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ୱାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍, ଶିଶୁ ଶ୍ରମିକ ନିରୋଧ ଆଇନ, ପିସିପି ଏନ୍ଡିଟି ଆଇନ୍ ଉପରେ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଂଚ ଓ ଇଓମାନଙ୍କର ଭୂମିକା, ଦାୟିତ୍ୱ ଉପରେ ଜଣାଇଥିଲେ। ଗ୍ରାମ ପଂଚାୟତ ବିକାଶ ପାଣ୍ଠିର ଅନ୍ ଟାଏଡ ପାଣ୍ଠି ର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠି ଭିତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆଗଲପୁର ଥାନାର ଏଏସ୍ଆଇ ଦିପ୍ତିମୟୀ ଶତପଥୀ ବାଲ୍ୟ ବିବାହ ଆଇନ ଉପରେ ମତାମତ ଦେଇଥିଲେ, ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ଅଧାରୁ ପାଠ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏନ୍ଆଇଓଏସ୍, ଏସ୍ଆଇ ଓଏସ୍ ମଧ୍ୟରେ ନାମ ଲେଖାଇବାକୁ ପରାମର୍ଶ ପ୍ରଦାନ କରିଥିଲେ, ଆଗଲପୁର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଧୀରେନ୍ଦ୍ର କୁମାର ମେହେର ଅପ୍ରାପ୍ତ ବୟସ୍କ। ଗର୍ଭବତୀ ହୋଇ ମାତୃତ୍ୱ ଲାଭ କରିବା ନିଜ ପାଇଁ ସ୍ୱାସ୍ଥ୍ୟ ହାନି, ଅଯଥା ପାରିବାରିକ ବୋଝ, ନବଜାତକର ଯତ୍ନ ନେବା ସମସ୍ୟା ଉପୁଜୁଥିବାବେଳେ ଜନ୍ମିତ ଶିଶୁର ମଧ୍ୟ କ୍ଷତି ହୋଇଥାଏ ବୋଲି ବୁଝାଇଥିଲେ। କାର୍ଯ୍ୟକ୍ରମରେ ଆଗଲପୁର(ଡୁଡ଼ୁକା) ବ୍ଲକ୍ର ୨୦ ଗୋଟି ଗ୍ରାମ ପଂଚାୟତର ସରପଂଚ, ଇଓ ଉପସ୍ଥିତ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କ୍ଷେତ୍ର ପରିଦର୍ଶକ ବାଳମୁକୁନ୍ଦ ଭିତିରିଆ, ଚାଇଲ୍ଡ ହେଲ୍ପ ଲାଇନ୍ର ସୁଦାନ ଖମାରୀ, ଶୁଭମ୍ ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ତାଲିମ୍କୁ ଶେଷ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ