
ଝାରସୁଗୁଡ଼ା: ୨୫ ଅଗଷ୍ଟ (ହି.ସ.) ଏମ୍ଏମଡିଆର୍ ବିଲକୁ ନେଇ ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ପ୍ରଶ୍ନରେ ରାଜ୍ୟ ସରକାର ଓ ବିଜେପିର ୨୦ ଜଣ ସାଂସଦ ନୀରବ ରହିଥିବା ଅଭିଯୋଗ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ସମେତ ଇଣ୍ଡିଆ ଗଠବନ୍ଧନର ବିଭିନ୍ନ ଦଳ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି।
ଶୋଭାଯାତ୍ରାରେ କଂଗ୍ରେସ, ସିପିଆଇ(ଏମ୍), ସମାଜବାଦୀ ପାର୍ଟି ସମେତ ଇଣ୍ଡିଆ ଗଠବନ୍ଧନର ବିଭିନ୍ନ ଘଟକ ଦଳର ନେତା, କର୍ମୀ ଓ ସମର୍ଥକମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀରବତା ବିରୋଧରେ ପ୍ରତିବାଦ ଜଣାଇଥିଲେ। ଓଡ଼ିଶାର ହିତ ଓ ରାଜ୍ୟର ଅଧିକାର ସୁରକ୍ଷା ପାଇଁ ବିଜେପି ସରକାର ଏବଂ ଏହାର ନିର୍ବାଚିତ ପ୍ରତିନିଧିମାନେ ଏମ୍ଏମଡିଆର୍ ବିଲ ପ୍ରସଙ୍ଗରେ ସ୍ପଷ୍ଟ ଆଭିମୁଖ୍ୟ ରଖନ୍ତୁ ବୋଲି ଦାବି କରାଯାଇଥିଲା।
ଶୋଭାଯାତ୍ରା ପରେ ପ୍ରତିବାଦକାରୀମାନେ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ୨୦ ଜଣ ସାଂସଦଙ୍କ କୁଶପୁତଳିକା ଦାହ କରି ତୀବ୍ର ପ୍ରତିବାଦ କରିଥିଲେ। ଏମ୍ଏମଡିଆର୍ ବିଲ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ନୀରବ ରହିବା ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ ବୋଲି ଜିଲ୍ଲା କଂଗ୍ରେସ ନେତୃତ୍ୱ ଅଭିଯୋଗ କରିଥିଲା।
ଇଣ୍ଡିଆ ଗଠବନ୍ଧନର ନେତାମାନେ କହିଥିଲେ ଯେ, ଓଡ଼ିଶାର ହକ୍ ଓ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ମଧ୍ୟ ସ୍ୱର ଉତୋଳନ କରାଯିବ। ଏମ୍ଏମଡିଆର୍ ବିଲ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ବିଜେପିର ସମସ୍ତ ସାଂସଦଙ୍କ ନିକଟରୁ ସ୍ପଷ୍ଟ ଜବାବ ଦାବି କରାଯାଇଛି।
କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ, ପୂର୍ବତନ ସଭାପତି ଭାରତ ଅବସ୍ତି, ୱାରିଶ ଭାଇ, ସୁବ୍ରତ ପ୍ରଧାନ, ପ୍ରଶାନ୍ତ ତ୍ରିପାଠୀ, ଉପସଭାପତି ମନମୋହନ ଝା, ଅଲେଖ କୁମାର, ସଲିମ ଖାନ, ରିୟାଜ ହୁସେନ, ଯୁବ ସଭାପତି ଶାହରୁଖ ଖାନ, ନଗର ସଭାପତି ଦେବାନନ୍ଦ ବାରିକ, ସଞ୍ଜୟ ମହାପାତ୍ର, କାଜଲ ଘୋଷ, ଶୈଳେଶ ଅବସ୍ତି, ସମାଜବାଦୀ ପାର୍ଟିର ମହମ୍ମଦ ଅଖତର, ସିପିଏମ୍ର ସାରଙ୍ଗ ମିଶ୍ର, ସିପିଆଇ(ଏମ୍)ର ସଭାପତି ଗୌରୀଶଙ୍କର ପାତ୍ର, ସମ୍ପାଦକ ବାସୁଦେବ ଧୂରୁଆ, ଟିକେଶ୍ୱର ରୋହିଦାସ, ଅର୍ଜୁନ ସିଂଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ