
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ)- ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ ।
ବୁଧବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି। ଏମଏମଡିଆର ଆମେଂଟମେଂଟ ଆକ୍ଟ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆକ୍ଟ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବକେୟା ଟିକସ ହରାଇବ ଓଡ଼ିଶା । ଏହି ଆକ୍ଟ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି । କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକ ମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା । କିନ୍ତୁ ବର୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରୁଛନ୍ତି । ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡ଼ିର ଲଢେଇ ଜାରି ରହିବ ।
ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ ଡବଲ ଇଞ୍ଜିନ ସରକାର ବାରମ୍ବାର ଲୁଟିବାରେ ଲାଗିଛି। ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ବୋଲି ମତପ୍ରକାଶ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଏମଏମଡିଆର ଆମେଣ୍ଡମେଂଟ ଆକ୍ଟ ବଳରେ ରାଜ୍ୟ ହକକୁ ଛଡ଼ାଇ ନେଇଛନ୍ତି। କେନ୍ଦ୍ର ସରକାର ବିନା ଆଲୋଚନାରେ ସଂସଦରେ ଏହି ବିଲକୁ ପାରିତ କରାଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଜେଡିର ଲଢ଼େଇ ଆଗକୁ ଆହୁରି ତୀବ୍ରତର ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା