
ବଲାଙ୍ଗିର, 26 ଅଗଷ୍ଟ (ହି.ସ.)
୨୦୨୫–୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ବଲାଙ୍ଗୀର ପୌର ପରିଷଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରସ୍ଥିତ କୃଷି ଭବନ ଠାରେ ଅନୁଷ୍ଠିତ ହେବ।
ଏହି ଅବସରରେ ବଲାଙ୍ଗୀର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ଆଜି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପହଞ୍ଚିଛି।
ଏହି ସମ୍ମାନକୁ ନେଇ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଛନ୍ତି ଯେ, “ଏହି ସଫଳତା କେବଳ ପୌର ପରିଷଦର ନୁହେଁ; ଏହା ବଲାଙ୍ଗୀର ସହରର ସମସ୍ତ ଜନସାଧାରଣଙ୍କ ଚେଷ୍ଟା, ପ୍ରଚେଷ୍ଟା ଓ ସହଯୋଗର ଫଳ।”
ସହରର ବିକାଶ ଓ ପୌର ପରିଷଦର କାର୍ଯ୍ୟକୁ ସଫଳ କରିବାରେ ସହରବାସୀଙ୍କ ସହଯୋଗକୁ ସେ ଭୂୟସୀ ପ୍ରଶଂସା କରିବା ସହ ବଲାଙ୍ଗୀର ଜିଲ୍ଲା ପ୍ରଶାସନ,କାର୍ଯ୍ୟନିର୍ବାହୀ ଅଧିକାରୀ,ଉପ ନଗରପାଳ, ପରିଷଡ ର ସମସ୍ତ ସଦସ୍ୟ ଓ ସଦସ୍ୟା, ପୌର ପରିଷଦର ସମସ୍ତ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ଏହି ପୁରସ୍କାର ବଲାଙ୍ଗୀର ସହରର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ସହ ପୌର ପରିଷଦର ଅଧିକ ଦାୟିତ୍ୱ ଓ ଉତ୍ସାହ ବଢ଼ାଇବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ