
ନୂଆପଡ଼ା,୨୬ ଅଗଷ୍ଟ (ହି.ସ.)- ପବିତ୍ର ଶ୍ରାବଣ ମାସ ଅବସରରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ମାରୱାଡ଼ି ମହିଳା ସମିତି ପକ୍ଷରୁ ଭବ୍ୟ ‘ବୋଲ୍ ବମ୍’ ଶୋଭାଯାତ୍ରା ତଥା କାଉଡ଼ିଆ ରାଲି ମହାସମାରୋହରେ ଆଜି ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାନେତ୍ରୀ ବବିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ମା’ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଭକ୍ତିପୂର୍ଣ୍ଣ ପରିବେଶରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ‘ହର ହର ମହାଦେବ’, ‘ବୋଲ୍ ବମ୍’ ଧ୍ୱନି ସହ ହରିବୋଲ ଓ ହୁଳହୁଳିରେ ସମଗ୍ର ସହର ପ୍ରକମ୍ପିତ ହୋଇଉଠିଥିଲା। ପାରମ୍ପରିକ ପୋଷାକ ପରିଧାନ କରି ଶତାଧିକ ମହିଳା ଓ କୁନି କୁନି ଶିଶୁ ହାତରେ କଳସ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ମା’ ସମଲେଶ୍ୱରୀ ମନ୍ଦିରରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଥାନା ଛକ ପରିକ୍ରମା କରିବା ପରେ ପ୍ରସିଦ୍ଧ ରାମସ୍ୱାମୀ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ମହିଳା ଓ ଶିଶୁମାନେ ଭକ୍ତିଭାବର ସହ ଦେବାଦିଦେବ ମହାଦେବ ଶିବଶଙ୍କରଙ୍କ ମୂର୍ତ୍ତିରେ ପବିତ୍ର ଜଳାଭିଷେକ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। କାର୍ଯ୍ୟକ୍ରମରେ ମାରୱାଡ଼ି ମହିଳା ସମିତିର ବହୁ ସଦସ୍ୟାଙ୍କ ସମେତ ସ୍ଥାନୀୟ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଶୋଭାଯାତ୍ରାକୁ ସଫଳ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ