ଚିନି ମହଙ୍ଗା ପରେ ମିଠା ଦୋକାନୀ ଚିନ୍ତାରେ
ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚିନି ଦରରେ ହଠାତ୍ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛିଦିନ ପୂର୍ବରୁ କିଲୋପିଛା ୪୫ରୁ ୪୮ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଚିନି ଏବେ ଅନେକ ସ୍ଥାନରେ ୭୦ ଟଙ୍କାରେ ବିକ୍ରି ହେଉଥିବା ହେଉଥିବା ଜଣାଯାଇଛି। ଅଳ୍ପ ସମୟ ମଧ୍ୟରେ ଏଭଳି
CHINI MAHANGA - MITHA DOKANI CHINTARE


ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚିନି ଦରରେ ହଠାତ୍ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛିଦିନ ପୂର୍ବରୁ କିଲୋପିଛା ୪୫ରୁ ୪୮ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଚିନି ଏବେ ଅନେକ ସ୍ଥାନରେ ୭୦ ଟଙ୍କାରେ ବିକ୍ରି ହେଉଥିବା ହେଉଥିବା ଜଣାଯାଇଛି। ଅଳ୍ପ ସମୟ ମଧ୍ୟରେ ଏଭଳି ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସାଙ୍ଗକୁ ନୈରାଶ୍ୟ ପ୍ରକାଶ ପାଇଛି। ଚିନି ପ୍ରାୟ ସବୁ ପରିବାରର ଦୈନନ୍ଦିନ ଚଳଣିର ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଦରବୃଦ୍ଧି ସିଧାସଳଖ ଭାବେ ଘରୋଇ ବଜେଟ୍ ଉପରେ ପ୍ରଭାବ ପକାଉଛି। ଚା’ ଦୋକାନ ଠାରୁ ଆରମ୍ଭ କରି ମିଠା ଦୋକାନ ଓ କ୍ୟାଟରିଂ ବ୍ୟବସାୟ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେଉଛି। ଚା’ ଦୋକାନୀଙ୍କ କହିବାନୁଯାୟୀ, ଚିନି ସମେତ ଚା’ପତି ଓ ପ୍ୟାକେଟ କ୍ଷୀର ଭଳି ସାମଗ୍ରୀର ମୂଲ୍ୟ ବଢ଼ିବାରୁ ପୂର୍ବ ଦରରେ ଚା’ ବିକ୍ରି କରିବା କଷ୍ଟକର ହେଉଛି। ଅନ୍ୟପକ୍ଷରେ ଚିନି ଦର ବଢ଼ିଲେ ରସଗୋଲା, ଗୁଲାବଜାମୁନ୍, ଖିରୀ ଆଦି ପ୍ରସ୍ତୁତି ଖର୍ଚ୍ଚ ମଧ୍ୟ ବଢ଼ିବ ବୋଲି ମିଠା ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି। ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟକ୍ରମରେ କ୍ୟାଟରିଂ ଖର୍ଚ୍ଚ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।ଆଉ ଗୋଟିଏ ଦିନ ପରେ ରକ୍ଷା ବଂଧନ ପୂର୍ଣ୍ଣିମା ଥିବା ବେଳେ ଏଥିପାଇଁ ଆବଶ୍ୟକ ମିଠା ପ୍ରସ୍ତୁତି ନେଇ ବ୍ୟବସାୟୀ ଚିନ୍ତା ବ୍ୟକ୍ତ କରିଛନ୍ତି।କିଲୋ ପ୍ରତି ୨୦ ଟଙ୍କା ଦର ବୃଦ୍ଧି ସେମାନଙ୍କୁ ଅଡ଼ୁଆରେ ପକାଇଛି କି ମିଠା ଦର ବଢିଲେ ବେପାର ପ୍ରଭାବିତ ହେବ। ତେବେ ବଜାରରେ ଚିନିର ଦର ହଠାତ୍? କାହିଁକି ବଢ଼ିଲା, ଏହା ପଛରେ ଯୋଗାଣ ବ୍ୟବସ୍ଥା କିମ୍ବା ଅନ୍ୟ କୌଣସି କାରଣ ରହିଛି କି, ସେନେଇ ସ୍ପଷ୍ଟତା ଆବଶ୍ୟକ ବୋଲି ଖାଉଟିମାନେ କହିଛନ୍ତି। ବିଭିନ୍ନ ଦୋକାନରେ ଚିନିର ବିକ୍ରୟ ଦର ଯାଂଚ କରି ଅସ୍ୱାଭାବିକ ମୂଲ୍ୟବୃଦ୍ଧି ଥିଲେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ଗୁଡ଼ ଦର ମଧ୍ୟ ବୃଦ୍ଧି ପାଇଛି।ସପ୍ତାହ ତଳେ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଗୁଡ଼ ଏବେ ଖୁଚୁରା ବଜାରରେ ୬୫ରୁ ୬୭ ଟଙ୍କାରେ ପହଂଚିଛି। ନିର୍ଦ୍ଦିଷ୍ଟ ଦରରେ ଚିନି ବିକ୍ରି ହେଉଛି କି ନାହିଁ, ଧାମନଗର ଅଂଚଳରେ ଥିବା ସମସ୍ତ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଯାଂଚ ହେବା ଏବେ ଜରୁରୀ ହୋଇପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande