
ଚମ୍ପୁଆ, ୨୬ ଅଗଷ୍ଟ (ହି.ସ.) - ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ ପରେ ଏବେ ବାରହା ଆତଙ୍କ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଚାଷୀଙ୍କର କରିଥିବା ଚାଷ ଯଥା ମକା, କନ୍ଦମୂଳ ଆଦି ବାରହା ନଷ୍ଟ କରିଦେଇଥିବାରୁ ଗୋଧୂଳି ଗ୍ରାମର ଚାଷୀ ଚମ୍ପୁଆ ରେଞ୍ଜ ଅଧିକାରୀଙ୍କୁ ତାଙ୍କର ଅଭିଯୋଗ ଜଣାଇଛନ୍ତି । ଚାଷୀଙ୍କର ଏକର ଏକର ମକା ଓ କନ୍ଦମୂଳ ଫସଲ ଉଜାଡି ଦେଇଥିବା ବେଳେ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଚରମ ସିମାରେ ପହଁଚିଲାଣି । ଏହାର ପ୍ରତିକାର ଦାବିରେ ଗୋଧୂଳି ଗ୍ରାମର ଚାଷି ଚମ୍ପୁଆ ବନାଂଚଳ କାର୍ଯ୍ୟାଳୟକୁ ଯାଇ ବନାଂଚଳ ଅଧିକାରୀ ସାଗରରାଜ ନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ବିଭିନ୍ନ ଜଙ୍ଗଲରୁ ବାରହା ପଲ ଦଳ ଦଳ ହୋଇ ଚାଷୀ କରିଥିବା ଖେତରେ ପଶି ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ବିପୁଳ ଆର୍ôଥକ କ୍ଷତିର ସମ୍ମୁଖୀନ ହୋଇ ଚିନ୍ତାରେ ପଡ଼ିଛନ୍ତି । ଗୋଧୂଳି ଗ୍ରାମର ଚାଷୀମାନେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରି ଉଚିତ କ୍ଷତିପୂରଣ ଦାବି କରିବା ସହ ବାରହା ଉପଦ୍ରବ ରୋକିବା ପାଇଁ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଚମ୍ପୁଆ ବନାଂଚଳ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ସୂଚନାଯୋଗ୍ୟକି ମକା ଓ କନ୍ଦମୂଳ ଚାଷକୁ ନେଇ ଗୋଧୂଳି ଗ୍ରାମର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ପ୍ରାୟ ୮୦ ଭାଗ ଲୋକ ଏହି ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ବାରହାମାନଙ୍କ ଉପଦ୍ରବରେ ଚାଷୀମାନେ ଅତିଷ୍ଠ ହୋଇପଡ଼ିଛନ୍ତି, ତେଣୁ ବନବିଭାଗ ଏହାର ତୁରନ୍ତ ପଦକ୍ଷେପ ନେବାକୁ ଗୋଧୂଳି ଚାଷୀ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମରେ ବାରହା ମାନେ ଦଳ ଦଳ ହୋଇ ବ୍ୟାପକ ଫସଲ ନଷ୍ଟ କରିଚାଲିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta