
ନୂଆପଡ଼ା,୨୬ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ସମସ୍ତ ୱାର୍ଡରେ ଗତ କିଛି ମାସ ହେଲା ମଶାଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଂଜ ନଇଁଲେ ଘର ହେଉ କି ବାହାର, କେଉଁଠି ବି ମଶାଙ୍କ ଦାଉରୁ ନିସ୍ତାର ମିଳୁନଥିବା ଅଭିଯୋଗ ହେଉଛି। ଏଥିଯୋଗୁଁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମଶାବଂଶ ଦମନ ପାଇଁ ପୌର ପରିଷଦ ପକ୍ଷରୁ ନିୟମିତ ଭାବେ ଫଗିଂ କରିବା ସହ ନାଳନର୍ଦ୍ଦମାରେ ମଶାତେଲ ସିଞ୍ଚନ କରାଯାଉଥିଲା। ତେବେ ଗତ କିଛି ଦିନ ହେଲା ଏହି ପ୍ରକ୍ରିୟା ପ୍ରାୟ ବନ୍ଦ ରହିଥିବାରୁ ମଶାଙ୍କ ଉପଦ୍ରବ ବଢ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ନାଳନର୍ଦ୍ଦମାରେ ଜଳ ଜମି ରହିବା, ପରିତ୍ୟକ୍ତ ଜଳାଶୟ ଓ ଅସ୍ୱଚ୍ଛ ପରିବେଶ ଯୋଗୁଁ ମଶାଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି। ମଶାଙ୍କ ଦାଉରୁ ରକ୍ଷା ପାଇଁ ଲୋକେ ସନ୍ଧ୍ୟା ହେଉ ହେଉ ଘରର କବାଟ ଓ ଝରକା ବନ୍ଦ କରି ରଖୁଥିବା ଦେଖାଯାଉଛି। ଏପରିକି ନାମୀଦାମୀ ବ୍ରାଣ୍ଡର ମଶା ଅଗରବତୀ ମଧ୍ୟ ମଶା ଦାଉରୁ ସମ୍ପୂର୍ଣ୍ଣ ରକ୍ଷା ଦେଇପାରୁନଥିବା ଲୋକେ କହୁଛନ୍ତି। ସହରର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍ଗୁଡ଼ିକରେ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନଥିବାରୁ ମଶାଙ୍କ ବଂଶବୃଦ୍ଧି ବଢ଼ୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ଏହା ଫଳରେ ମ୍ୟାଲେରିଆ ଓ ଫାଇଲେରିଆ ଭଳି ମଶାବାହିତ ରୋଗକୁ ନେଇ ସହରବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ମଶାବଂଶ ନିୟନ୍ତ୍ରଣ ପାଇଁ ଏନଏସି ପକ୍ଷରୁ ସମସ୍ତ ୱାର୍ଡରେ ନିୟମିତ ଫଗିଂ କରିବା ସହ ନାଳନର୍ଦ୍ଦମାରେ ମଶାତେଲ ସିଞ୍ଚନ କରାଯିବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଦାବି କରିଛନ୍ତି। ଏଥିସହ ମଶାଙ୍କ ଲାର୍ଭା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ସ୍ଥାନରେ ଗମ୍ବୁସିଆ ମାଛ ଛାଡ଼ିବା ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି। ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଖଡ଼ିଆଳ ସହରର ସମସ୍ତ ୱାର୍ଡରେ ବ୍ୟାପକ ମଶା ଦମନ ଅଭିଯାନ ଆରମ୍ଭ କରିବା ସହ ଫଗିଂ ଓ ନାଳନର୍ଦ୍ଦମାରେ ମଶାତେଲ ସିଞ୍ଚନ ନିୟମିତ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ଏନଏସି ଇଓ ସ୍ୱାଧୀନ କେତନ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ସହରରେ ମଶା ଧୂଆଁ ଦେବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ