
ନୂଆପଡ଼ା,୨୬ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରେ ଏବେ ସାପ ଆତଙ୍କ l ଘରେ, ବାହାରେ ବୁଲୁଛି ବିଷଧର ସାପ l କୋମନା ବ୍ଲକ ଅଞ୍ଚଳର ତିନି ପଟେ ଘଞ୍ଚ ଜଙ୍ଗଲ, ଗୋଟିଏ ପଟେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ l ଆଉ ଏହା ସାପଙ୍କ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ l ବର୍ଷା ଦିନ ହୋଇ ଥିବାରୁ ସାପ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି l
ଜୁନ୍ ମାସରୁ ଏଯାଏ ବନ ବିଭାଗର ତାଲିମ ପ୍ରାପ୍ତ ସାପ ଧରାଳିମାନେ ପ୍ରାୟ ସାତ ହଜାରରୁ ଉର୍ଦ୍ଧ ସାପ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି l ଦୈନିକ ଏହି ସାପ ଧରାଳିମାନେ ୭ରୁ ୧୦ ଗୋଟି ସାପ ଉଦ୍ଧାର କରୁଛନ୍ତି ବୋଲି ତାଲିମ ପ୍ରାପ୍ତ ସାପ ଧରାଳି କମଲ ପାଣ୍ଡେ , ସୁରେଶ କୁମାର ମଲ୍ଲିକ ,ତୋଫାନ ମଲ୍ଲିକ କହୁଛନ୍ତି l
ଜୁନ୍ ମାସରୁ ଏଯାଏ ବର୍ଷା ହେଉଛି l ବର୍ଷାରେ ସାପଙ୍କ ବସା ପାଣିରେ ବୁଡ଼ି ଯାଉ ଥିବାରୁ ସେମାନେ ଖାଦ୍ୟ ଅନ୍ୱେଷଣରେ ଘରକୁ ପଶି ଆସୁଛନ୍ତି l ବିଶେଷ କରି ଚିତି, ନାଗ, ରଣା, ଅଜଗର ସାପ ଘରେ ବାହାରେ ବୁଲୁଛି l ଲୋକଙ୍କ ପାଖରୁ ସୂଚନା ପାଇ ତାଲିମ ପ୍ରାପ୍ତ ସାପ ଧରାଳିମାନେ ଦିନରାତି ଏକ କରି ସାପକୁ ଉଦ୍ଧାର କରିବା ସହ ଲୋକଙ୍କ ଜୀବନକୁ ମଧ୍ୟ ସୁରକ୍ଷା କରୁଛନ୍ତି l ଏବେ ବର୍ଷା ଦିନ ଥିବାରୁ ଘରର ଝରକା, କବାଟ ବନ୍ଦ ରଖିବାକୁ ଭରତ ବନ୍ଧୁ ଶବର( ରେଞ୍ଜର, କୋମନା ରେଞ୍ଜ) ଲୋକଙ୍କୁ ଅନୁରୋଧ କରିଛନ୍ତି l ବର୍ଷା ଦିନେ ସାପର ଆତଙ୍କ ବଢ଼ି ଯାଇଛି l ସତର୍କତା ଅବଲମ୍ବନ କଲେ ସୁରକ୍ଷିତ ରହିବା ବୋଲି ନୂଆପଡ଼ା ଜିଲ୍ଲା ୱାଇଲ୍ଡ ଲାଇଫ ୱାଡେନ ମାୟାଧର ସରାଫ ଜଣାଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ