ଜମିହରାଙ୍କ ନିଯୁକ୍ତି ଦାବି ଜୋରଦାର ଜିଲ୍ଲାପାଳ ଓ ପ୍ଲାଣ୍ଟ ମୁଖ୍ୟଙ୍କୁ ଶ୍ରୀପୁରା ସରପଞ୍ଚଙ୍କ ଦାବିପତ୍ର
Letter to Collector and plant head
ଜମିହରାଙ୍କ ନିଯୁକ୍ତି ଦାବି ଜୋରଦାର ଜିଲ୍ଲାପାଳ ଓ ପ୍ଲାଣ୍ଟ ମୁଖ୍ୟଙ୍କୁ ଶ୍ରୀପୁରା ସରପଞ୍ଚଙ୍କ ଦାବିପତ୍ର


ଝାରସୁଗୁଡ଼ା, ୨୬: ଅଗଷ୍ଟ (ହି.ସ.) - ଶ୍ରୀପୁରା ଗ୍ରାମପଞ୍ଚାୟତ ଅଞ୍ଚଳରେ ଏପ୍ସିଲନ୍ କାର୍ବନ୍ ପ୍ରାଇଭେଟ୍ ଲିମିଟେଡ୍ କାରଖାନା ପାଇଁ ଜମି ହରାଇଥିବା ପରିବାରର ଯୁବକମାନଙ୍କୁ ନିଯୁକ୍ତି ଦାବି ଜୋରଦାର ହୋଇଛି। ଏନେଇ ଶ୍ରୀପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲାପାଳ ଓ କମ୍ପାନୀର ପ୍ଲାଣ୍ଟ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ, କାରଖାନା ପାଇଁ ଶ୍ରୀପୁରା ଗ୍ରାମର ଅନେକ ପରିବାର ନିଜର ଚାଷଜମି ହରାଇଛନ୍ତି। କେତେକ ପରିବାର ପ୍ରତ୍ୟକ୍ଷ ଭାବେ ଏବଂ ଅନ୍ୟ କେତେକ ପରୋକ୍ଷ ଭାବେ ଜମି ପ୍ରଦାନ କରିଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟକ୍ଷ ଜମିହରା ପରିବାର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପରୋକ୍ଷ ଭାବେ ଜମି ହରାଇଥିବା ପରିବାରର ୧୮ରୁ ୪୫ ବର୍ଷ ବୟସର ବେକାର ଯୁବକଙ୍କୁ ନିଯୁକ୍ତି ଦେବାକୁ ସରପଞ୍ଚ ଦାବି କରିଛନ୍ତି।

ଗତ ୧୮ ତାରିଖରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଦାବିପତ୍ର ଦିଆଯାଇଥିଲା। ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାର ପୂର୍ବ ପ୍ରତିଶ୍ରୁତି ସତ୍ତ୍ୱେ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ସରପଞ୍ଚ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ସ୍ଥାନୀୟ ଜମିହରାଙ୍କୁ ନିଯୁକ୍ତି ନଦିଆଗଲେ କାରଖାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ଅଭିଯୋଗ ସମ୍ପର୍କରେ ଏପ୍ସିଲନ୍ କାର୍ବନ୍ର ଅଧିକାରୀ ବିଶ୍ୱ ମୋହନ ଦାସ କହିଛନ୍ତି ଯେ, ଜମି ହରାଇଥିବା ପରିବାରକୁ ନିଶ୍ଚିତ ଭାବେ ନିଯୁକ୍ତି ଦିଆଯିବ। ବର୍ତ୍ତମାନ କାରଖାନା ପୂର୍ଣ୍ଣାଙ୍ଗ ଭାବେ ଚାଲୁ ହୋଇନଥିବାରୁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି। କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆଗକୁ ବଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande