
କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – ସାରା ବିଶ୍ୱକୁ ଆଲୋକିତ କରିଥିବା ମହାପୁରୁଷ ହଜରତ୍ ମହମ୍ମଦ(ଏସ୍ଏଏସ୍)ଙ୍କ ଜନ୍ମଦିନ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ଇଦ୍ ମିଲାଦୁନ୍ କମିଟି ପକ୍ଷରୁ ଆୟୋଜିତ ଏହି ଜୟନ୍ତୀରେ କେନ୍ଦ୍ରାପଡ଼ା ହାଇସ୍କୁଲ୍ ଛକଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା ଦେଇ ଇସଲାମ୍ ଧର୍ମ ସମ୍ପର୍କରେ ଓ ମହମ୍ମଦଙ୍କ ଆଦର୍ଶ ସମ୍ପର୍କରେ ସ୍ଲୋଗାନ୍ ଦେଇଥିଲେ। କେନ୍ଦ୍ରାପଡ଼ା ସହର ଓ ଆଖପାଖ ଅଂଚଳରୁ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ପୋଲିସ୍ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସହର ପରିକ୍ରମା ସମୟରେ ବିଭିନ୍ନ ଛକମାନଙ୍କରେ ଏହି ଶୋଭାଯାତ୍ରାକାରୀଙ୍କୁ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଶୋଭାଯାତ୍ରାରେ ମୌଲାନା ଅଜମତୁଲା ହସମତୀ, ହାପିଜ କମାଲ୍ ଉଦ୍ଦିନ ହବିବି, ସୟଦ୍ ଅହେସାନ୍ ଅଲ୍ଲୀ, ମହମ୍ମଦ ସଲ୍ଲିମ୍ ଖାଁ, ମହମ୍ମଦ ବଦରୁତ ଜମାନ, ମୁକ୍ତାର ଖାଁଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରିବା ସମୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୌର ଅଧ୍ୟକ୍ଷା ସରୀତା ସାହୁ, ମହମ୍ମଦ ଆକବର ଅଲ୍ଲୀ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭୋଳ, ସମାଜସେବୀ ରଞ୍ଜିତ ସାହୁ, ରାଜେଶ ଦାସ, ରାଜେଶ ପଣ୍ଡା, କାଉନ୍ସିଲର ଉମେଶ ଚନ୍ଦ୍ର ନାୟକ, ଶରତ ବେଉରା, ହିବଜୁର୍ ରହେମାନ୍, ହିରଣ୍ୟ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋଭାଯାତ୍ରାକାରୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି