ଖଡ଼ିଆଳ ଅଗ୍ନିଶମ କେନ୍ଦ୍ରରେ ମକ୍ଡ୍ରିଲ୍, ଅଗ୍ନିଶମ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ କୁନି ପିଲା
ଖଡ଼ିଆଳ ଅଗ୍ନିଶମ କେନ୍ଦ୍ରରେ ମକ୍ଡ୍ରିଲ୍, ଅଗ୍ନିଶମ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ କୁନି ପିଲା ନୂଆପଡ଼ା,୨୬ ଅଗଷ୍ଟ (ହି.ସ.): ଜୀବନକୁ ବାଜି ଲଗାଇ ବିପଦ ସମୟରେ ଲୋକଙ୍କ ଧନଜୀବନ ରକ୍ଷା କରୁଥିବା ଅଗ୍ନିଶମ କର୍ମଚାରୀଙ୍କ ତ୍ୟାଗ, ସାହସ ଓ ସେବା ମନୋଭାବକୁ ସମ୍ମାନ ଜଣାଇ ଖଡ଼ିଆଳ ଅଗ୍ନିଶମ କେନ
Muk drilll karyakram


ଖଡ଼ିଆଳ ଅଗ୍ନିଶମ କେନ୍ଦ୍ରରେ ମକ୍ଡ୍ରିଲ୍, ଅଗ୍ନିଶମ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ କୁନି ପିଲା

ନୂଆପଡ଼ା,୨୬ ଅଗଷ୍ଟ (ହି.ସ.): ଜୀବନକୁ ବାଜି ଲଗାଇ ବିପଦ ସମୟରେ ଲୋକଙ୍କ ଧନଜୀବନ ରକ୍ଷା କରୁଥିବା ଅଗ୍ନିଶମ କର୍ମଚାରୀଙ୍କ ତ୍ୟାଗ, ସାହସ ଓ ସେବା ମନୋଭାବକୁ ସମ୍ମାନ ଜଣାଇ ଖଡ଼ିଆଳ ଅଗ୍ନିଶମ କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର ସଚେତନତା ଓ ରାକ୍ଷୀ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁସକାନ ଇଣ୍ଟରନ୍ୟାସନାଲ ସ୍କୁଲ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁନି ଛାତ୍ରଛାତ୍ରୀ ମାନେ ଅଗ୍ନିଶମ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ, ସୁସ୍ଥତା ଓ ସୁରକ୍ଷା କାମନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଆକର୍ଷଣୀୟ ମକ୍ଡ୍ରିଲ୍ ପ୍ରଦର୍ଶନ କରାଯାଇଥିଲା। ମକ୍ଡ୍ରିଲ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅଗ୍ନିକାଣ୍ଡ ଓ ବିଭିନ୍ନ ବିପର୍ଯ୍ୟୟ ସମୟରେ ନିଆଯିବାକୁ ଥିବା ସତର୍କତା ଏବଂ ଉଦ୍ଧାର ପ୍ରଣାଳୀ ସମ୍ପର୍କରେ ପ୍ରତ୍ୟକ୍ଷ ଶିକ୍ଷା ଦିଆଯାଇଥିଲା। ଏଥିରେ ନିଆଁ ଲାଗିଲେ କିପରି ତୁରନ୍ତ ନିୟନ୍ତ୍ରଣ କରାଯିବ, ଅଗ୍ନି ନିର୍ବାପକ ଉପକରଣର ସଠିକ୍ ବ୍ୟବହାର, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ଫସିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ଏବଂ ବହୁତଳ କୋଠାରେ ଫସିଥିବା ଲୋକଙ୍କୁ କିପରି ସୁରକ୍ଷିତ ଭାବେ ବାହାର କରାଯିବ, ତାହା ପ୍ରଦର୍ଶନ କରାଯାଇଥିଲା। ବିପଦ ସମୟରେ ଭୟଭୀତ ନ ହୋଇ ଧୈର୍ଯ୍ୟ, ଶାନ୍ତି ଓ ଶୃଙ୍ଖଳାର ସହ ପରିସ୍ଥିତିର ମୁକାବିଲା କରି ନିଜ ସହ ଅନ୍ୟମାନଙ୍କ ଜୀବନ କିପରି ରକ୍ଷା କରାଯାଇପାରିବ, ସେନେଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ମକ୍ଡ୍ରିଲ୍ ପରେ ବିଦ୍ୟାଳୟର କୁନି ଛାତ୍ରଛାତ୍ରୀମାନେ ଅଗ୍ନିଶମ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇଥିଲେ। ବିପଦ ସମୟରେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ସୁରକ୍ଷା ଦେଉଥିବା ଅଗ୍ନିଶମ ଯୋଦ୍ଧାଙ୍କ ପ୍ରତି ପିଲାମାନଙ୍କ ଏହି ସ୍ନେହ ଓ ସମ୍ମାନ ଉପସ୍ଥିତ ସମସ୍ତଙ୍କ ମନ ଜିଣିଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଖଡ଼ିଆଳ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ଏଭଳି ଅଭିନବ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande