
ଝାରସୁଗୁଡା, 26 ଅଗଷ୍ଟ (ହି.ସ.) : ବ୍ରଜରାଜନଗର ଥାନା ଅଞ୍ଚଳରେ ପିଗ୍ ଫାର୍ମରେ ଡକାୟତି ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ ୧୦ଟି ବଡ଼ ଘୁଷୁରି, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ଅଭିଯୋଗକାରୀଙ୍କ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଜବତ କରିଛି।
ପୁଲିସ ସୂଚନା ଅନୁସାରେ, ବରାଖଣ୍ଡିଆ ଗ୍ରାମର ଅଯୋଧ୍ୟା ରୋହିଦାସ (୫୨) ଗତ ପ୍ରାୟ ୫ ମାସ ଧରି ଏକ ପିଗ୍ ଫାର୍ମ ଚଳାଇ ଆସୁଥିଲେ। ଅଗଷ୍ଟ ୨୪ ତାରିଖ ରାତିରୁ ୨୫ ତାରିଖ ଭୋର ମଧ୍ୟରେ, ପ୍ରାୟ ରାତି ୧୨ଟାରୁ ୧ଟା ମଧ୍ୟରେ ୩ରୁ ୪ ଜଣ ଦୁର୍ବୃତ୍ତ ଫାର୍ମରେ ପଶିଥିଲେ। ସେମାନେ ଭୁଜାଲି ଓ ଖଣ୍ଡା ଦେଖାଇ ଅଯୋଧ୍ୟାଙ୍କୁ ଧମକ ଦେବା ସହ ମାଡ଼ ମାରି ତାଙ୍କ ନିଜ ପୋଷାକରେ ତାଙ୍କୁ ବାନ୍ଧି ଦେଇଥିଲେ।
ପରେ ଦୁର୍ବୃତ୍ତମାନେ ଫାର୍ମରୁ ୩୦ଟି ଘୁଷୁରିକୁ ଏକ ପିକ୍ଅପ୍ ଭ୍ୟାନ୍ରେ ଲଦି ନେଇ ଫେରାର ହୋଇଯାଇଥିଲେ। ଘଟଣା ସମୟରେ ଅଯୋଧ୍ୟାଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏଥିସହ ଅଭିଯୁକ୍ତମାନେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ସିମ୍ କାର୍ଡ କାଢ଼ି ଦେଇଥିଲେ ଏବଂ ମୋବାଇଲ୍ ହ୍ୟାଣ୍ଡସେଟ୍କୁ ଫିଙ୍ଗି ଦେଇଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦେଇଥିଲେ।କୌଣସି ପ୍ରକାରେ ଅଯୋଧ୍ୟା ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ବ୍ରଜରାଜନଗର ଥାନା କେସ୍ ନଂ-୧୮୩, ତାରିଖ ୨୫.୦୮.୨୦୨୬ ରୁଜୁ କରାଯାଇଥିଲା।
ମାମଲାର ତଦନ୍ତ ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ୍ ପାଇଥିଲା। ଏହାପରେ ଦୁଇ ଅଭିଯୁକ୍ତଙ୍କୁ ଧରାଯାଇଛି। ସେମାନେ ହେଲେ ଝୁପୁଡ଼ିପଡ଼ା, ଶାସ୍ତ୍ରୀନଗର ଅଞ୍ଚଳର ସାହିଲ ଓରାମ (୧୯) ଏବଂ କାଲିନଗର ଅଞ୍ଚଳର ସୁନୀଲ ଓରଫ କାଲି କାଲେଟ୍ (୨୮)। ପୁଲିସ ସେମାନଙ୍କ ନିକଟରୁ ୧୦ଟି ବଡ଼ ଘୁଷୁରି, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ଅଭିଯୋଗକାରୀଙ୍କ କିପ୍ୟାଡ୍ ମୋବାଇଲ୍ ଫୋନ୍ ଏବଂ ଓଡ଼ି ୨୩ କିୟୁ ୨୫୮୬ ନମ୍ବର ବିଶିଷ୍ଟ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ତଦନ୍ତରୁ ଗିରଫ ଦୁଇ ଅଭିଯୁକ୍ତଙ୍କର ଏହି ଅପରାଧରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ମାମଲାଟି ପ୍ରଥମେ ବି ଏନ୍ ଏସ ଧାରା ୩୦୯(୬)/୩(୫) ଅନୁଯାୟୀ ରୁଜୁ ହୋଇଥିବା ବେଳେ ତଦନ୍ତରେ ମିଳିଥିବା ତଥ୍ୟ ଓ ପ୍ରମାଣ ଆଧାରରେ ଏହାକୁ ବି ଏନ୍ ଏସ ଧାରା ୩୧୦(୨)/୧୧୧(୪)କୁ ପରିବର୍ତ୍ତନ କରାଯାଇଛି।
ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଇନଗତ ପଦକ୍ଷେପ ପାଇଁ ଅଦାଲତରେ ହାଜର କରାଯାଇଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ