
ଝାରସୁଗୁଡ଼ା, ୨୬: ଅଗଷ୍ଟ (ହି.ସ.) - ପବିତ୍ର ଇଦ୍ ମିଲାଦ-ଉନ୍-ନବୀ ଅବସରରେ ଝାରସୁଗୁଡ଼ା ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବୁଧବାର ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାର ନିଜେ ତଦାରଖ କରିବାକୁ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ମଇଦାନକୁ ଓହ୍ଲାଇଥିଲେ। ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ଏସ୍ପି ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ପାଦରେ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ତଦାରଖ ସମୟରେ ଏସ୍ପିଙ୍କ ସହ ଝାରସୁଗୁଡ଼ା ଡିଏସ୍ପି ଉମାଶଙ୍କର ସିଂଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ଓ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଶୋଭାଯାତ୍ରାର ପ୍ରମୁଖ ରୁଟ୍ଗୁଡ଼ିକରେ ପୋଲିସ ମୁତୟନ କରାଯିବା ସହ ଯାତାୟାତ ଓ ଆଇନଶୃଙ୍ଖଳା ଉପରେ ନଜର ରଖାଯାଇଥିଲା। ପୋଲିସର ସତର୍କତା ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସହରରେ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ