
ଝାରସୁଗୁଡ଼ା 26 ଅଗଷ୍ଟ (ହି.ସ.)-କୋଡ଼ାଲୋଇ ନର୍ଥ କୋଲ୍ ବ୍ଲକ୍ କୋଇଲା ଖଣି କାର୍ଯ୍ୟ ଆରମ୍ଭ ପାଇଁ ଜାଗା ଖାଲି କରିବା ଉଦ୍ଦେଶ୍ୟରେ ମୂଲ୍ୟବାନ ଗଛ କାଟିବା ଓ ଉପାଡ଼ିବାକୁ କମ୍ପାନୀର କର୍ମଚାରୀ ସଶସ୍ତ୍ର ପୁଲିସ ବଳ ସହ ପହଞ୍ଚିବାକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ। ବଞ୍ଜରୀ, କୁଡାଲୋଇ ଓ ଜୟବୁଡ଼ିଆ ଗ୍ରାମର ବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ, କୌଣସି ପୂର୍ବ ସୂଚନା ନ ଦେଇ ଗଛ ଉପାଡ଼ିବା ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀମାନେ ଆସିଥିଲେ। ଏହାକୁ ନେଇ ଗ୍ରାମବାସୀ ଏକଜୁଟ ହୋଇ ଦୃଢ଼ ପ୍ରତିବାଦ କରିଥିଲେ।
ପରିସ୍ଥିତି ନେଇ ଲଖନପୁର ତହସିଲଦାର ଡୁଲାମଣି ପଟେଲ, ପୁଲିସ ଏସ୍ଡିପିଓ ଚିନ୍ତାମଣି ପଧାନ, ଲଖନପୁର ଥାନା ଓ ବନହରପାଲି ଥାନା ଅଧିକାରୀ, ବେଦାନ୍ତ କମ୍ପାନୀର ଅଧିକାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ କିଛି ସର୍ତ୍ତ ସହ କେବଳ ୧୦ଟି ଗଛ ଉପାଡ଼ିବାକୁ ଗ୍ରାମବାସୀ ସହମତି ପ୍ରକାଶ କରିଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ସହ ଗ୍ରାମବାସୀଙ୍କ ଆଲୋଚନା ନ ହେବା ପର୍ଯ୍ୟନ୍ତ ଆଉ କୌଣସି ଗଛ କାଟା କିମ୍ବା ଉପାଡ଼ା ଯିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବାକୁ ଗ୍ରାମବାସୀ ଦାବି କରିଥିଲେ। ତହସିଲଦାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ଗ୍ରାମବାସୀଙ୍କ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରାଯିବା ସହ କମ୍ପାନୀ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ।ଏହି ଘଟଣା ସମୟରେ ଗୋପୀନାଥ ମାଝୀ, ଅଶୋକ ମାଝୀ, ବିନୋଦ ମାଝୀ, କରୁଣାକର ପଧାନ, କୁବେର ପଧାନ, ଧନୁର୍ଜ ଭୋଇ, ସୁବଳ ରାଉତ, ପ୍ରଫୁଲ୍ଲ ବଢ଼ାଇଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ