
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.) ଶିକ୍ଷାନୁଷ୍ଠାନରେ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକକେ ଥିବା ଦୁତିକା ସାହୁ କଲେଜ, ଲଇଡ଼ାର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ବର୍ତ୍ତମାନର ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ବସନ୍ତ କୁମାର ନାଏକଙ୍କୁ ଗିରଫ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୯-୨୦ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଡ. ନାଏକଙ୍କ କାର୍ଯ୍ୟକାଳ ସମୟରେ ୭୩ ଲକ୍ଷ ୪୪ ହଜାର ୯୫୦ ଟଙ୍କା ସରକାରୀ ଅର୍ଥର ଅନିୟମିତତା ଓ ହେରଫେର ହୋଇଥିବା ଅଭିଯୋଗ ରହିଛି। ତାଙ୍କୁ ଗିରଫ କରା ଯିବା ପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି।
ତଦନ୍ତ ସମୟରେ କଲେଜର ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ବାସ୍ତବରେ କାମ ନକରି ହେରଫେର କରାଯାଇଥିବା ଭିଜିଲାନ୍ସ ଜାଣିବାକୁ ପାଇଥିବା କହିଛି। ଏଥିସହ ମିଥ୍ୟା ବିଲ୍ ପ୍ରସ୍ତୁତ କରିବା ଏବଂ ମଞ୍ଜୁର ହୋଇଥିବା ଅର୍ଥ ବିନିମୟରେ ଅନୁଷ୍ଠାନିକ ଉପକରଣ ଗ୍ରହଣ ନକରିବା ଭଳି ଅଭିଯୋଗ ମଧ୍ୟ ରହିଛି।
ସେହିପରି କଲେଜର ଅଟୋମେସନ ଓ ଡିଜିଟାଲ ପରିଚାଳନା ସଫ୍ଟୱେର କାର୍ଯ୍ୟାନ୍ୱୟନ ନାମରେ ମଞ୍ଜୁର ହୋଇଥିବା ସରକାରୀ ଅନୁଦାନକୁ ଅନ୍ୟତ୍ର ବ୍ୟବହାର କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୩/୨୦୨୬ ରୁଜୁ ହୋଇଛି। ଏଥିରେ ବିଏନ୍ଏସ୍, ୨୦୨୩ର ଧାରା ୧୩(୨) ସହ ୧୩(୧)(ଏ), ୩୧୬(୫) ଓ ୬୧(୨) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାରେ ଆହୁରି ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ