
ଜୟପୁର, ୨୬ ଅଗଷ୍ଟ (ହି.ସ.)- ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚିତ୍ର ଲଙ୍କାଗଡ଼ । ଏନେଇ ଆଜି ଜୟପୁର ଠାରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଉ ଏକ ନୂଆ ସିନେମା ନେଇ ଉତ୍ସାହ ସୃଷ୍ଟି ହୋଇଛି। ଶିକ୍ଷା, ସଂଘର୍ଷ ଓ ସାମାଜିକ ପରିବର୍ତନକୁ ଆଧାର କରି ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କା ଗଡ଼’ ସେପ୍େଟମ୍ବର ଶେଷ ସପ୍ତାହରେ ସାରା ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଅବସରରେ ବୁଧବାର ଜୟପୁରର ସ୍ଥାନୀୟ ଏକ ହୋଟେଲରେ ଚଳଚ୍ଚିତ୍ରର ପ୍ରଯୋଜକ ଓ କଳାକାରଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ‘ଲଙ୍କା ଗଡ଼’ର କାହାଣୀ ଜଣେ ଯୁବ ଶିକ୍ଷକଙ୍କୁ କେନ୍ଦ୍ର କରି ଗତିଶୀଳ ହୋଇଛି। ଉପକୂଳ ଅଂଚଳରୁ ଜଣେ ଯୁବକ ଶିକ୍ଷକ ଭାବେ ନିଯୁକ୍ତି ପାଇ ଦୁର୍ଗମ ତଥା ଅନୁନ୍ନତ ଅଂଚଳକୁ ଯିବା ପରେ ସେଠାକାର ପ୍ରତିକୂଳ ପରିବେଶ, ଆଦିବାସୀ ଜୀବନ ଓ ବିଭିନ୍ନ ସାମାଜିକ ସମସ୍ୟା ସହ ସାମ୍ନା କରୁଛନ୍ତି। ଶିକ୍ଷାର ଆଲୋକ ମାଧ୍ୟମରେ ଅଂଚଳର ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ସହ ମାଓବାଦୀ ଚିନ୍ତାଧାରାରେ ପ୍ରଭାବିତ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ପ୍ରୟାସକୁ ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଏଥିସହ ଆଦିବାସୀ ଅଞ୍ଚଳରେ ଶିକ୍ଷାର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରି ପିଲାଙ୍କୁ ବିଦ୍ୟାଳୟମୁହାଁ କରିବାର ବାସ୍ତବ ଚିତ୍ର ମଧ୍ୟ ଉପସ୍ଥାପନ କରାଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ତଥା ପ୍ରଯୋଜକ ଭାବେ ରମେଶ ନାଏକ ରାବଣ ଭୂମିକା ରେ ଅଛନ୍ତି । ପୂର୍ବରୁ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ରମେଶ ନିଜ ବ୍ୟାନର ଏସ୍.ଡି. ପ୍ରଡକ୍ସନ ଅଧୀନରେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ନବାଗତ ନାୟକ ଶୁଭ୍ରାଂଶୁ ପାଢ଼ୀ ଜଣେ ଶିକ୍ଷକଙ୍କ ଚରିତ୍ରରେ ବଡ଼ ପରଦାକୁ ପାଦ ଥାପୁଛନ୍ତି। ତାଙ୍କ ସହ ନାୟିକା ଭୂମିକାରେ ନେହା ପାଣିଗ୍ରାହୀ ଓ ଡିପାଶା ମାଏଟି ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ହରିହର ମହାପାତ୍ର, ଟୁନା ଟନ୍ ଟନ୍, କୁସୁମ ତ୍ରିପାଠୀ, ଗୋପାଳ ସାମନ୍ତରାୟ, ଗୌତମ କୁମାର, ଶୁଭମ୍ ନାୟକ, ମହେଶ ରାଓ, ଉତମ ନାଗ, ଶିଶୁ କଳାକାର ରୁହାନି ପଣ୍ଡା, ସଂପୂର୍ଣ୍ଣା, ସମ୍ ରାଜ , କାଳୀ ରଥ, ଧୀରେନ୍ ତ୍ରିପାଠୀ ଓ କୁନି ନାୟକ ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଦୀପ ଦେବତା ଓ ରମେଶ ନୟକ ଏକ ବିଶେଷ ଚରିତ୍ରରେ ନଜର ଆସିବେ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଆନନ୍ଦ କୁମାର ଦେଇଛନ୍ତି। କାହାଣୀ ମିଟୁ ସୁନାଙ୍କର ହୋଇଥିବା ବେଳେ ସଂଳାପ ରଚନା କରିଛନ୍ତି ଆଶୁତୋଷ ବାରିକ। ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ସୁଟିଂ ଭବାନୀପାଟଣା ଅଂଚଳରେ ହୋଇଛି। ଇତିମଧ୍ୟରେ ଏହାର ଟ୍ରେଲର ମଧ୍ୟ ମୁକ୍ତିଲାଭ କରିସାରିଛି। ସିନେମାର ସଙ୍ଗୀତ ସଂଯୋଜନା କରିଛନ୍ତି ବିଷ୍ଣୁମୋହନ କବି ଓ ସର୍ବେଶ୍ୱର ଭୋଇ। ଗୀତ ରଚନା କରିଛନ୍ତି ସର୍ବେଶ୍ୱର ଭୋଇ, ଜିତେନ୍ଦ୍ର ସେଠ୍ ଓ ଡକ୍ଟର ନିର୍ମଳ ନାୟକ। ଅନ୍ତରା ଚକ୍ରବର୍ତୀ, ସ୍ୱୟଂ ପାଢ଼ୀ, ବିଷ୍ଣୁମୋହନ କବି, ସଞ୍ଜୁ ମହାନ୍ତି, ସୁହାନୀ ମିଶ୍ର, ରୁକୁ ସୁନା, ଅର୍ଚ୍ଚନା ପାଢ଼ୀ ଓ ସର୍ବେଶ୍ୱର ଭୋଇ ପ୍ରମୁଖ ଚାରିଟି ଗୀତରେ କଣ୍ଠଦାନ କରିଛନ୍ତି। ଗୀତଗୁଡ଼ିକରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକଗୀତର ଛାପ ରହିଥିବାରୁ ଏହା ଦର୍ଶକ ଓ ଶ୍ରୋତାଙ୍କୁ ଆକୃଷ୍ଟ କରିବ ବୋଲି ନିର୍ମାତାମାନେ ଆଶାବାଦୀ ଅଛନ୍ତି। ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କହିବାନୁସାରେ, ଦମଦାର କାହାଣୀ, ସାମାଜିକ ବାର୍ତା ଓ ରୋଚକ ସଙ୍ଗୀତର ସମନ୍ୱୟରେ ‘ଲଙ୍କା ଗଡ଼’ ଦର୍ଶକଙ୍କୁ ମନୋରଞ୍ଜନ ଦେବା ସହ ସମାଜ ପ୍ରତି ଏକ ସକାରାତ୍ମକ ବାର୍ତା ଦେବ। ସାମ୍ବାଦିକ ସମ୍ମିଳନୀରେ ଜୟପୁର ଆକାଶବାଣୀର ଉଦଘୋଷିକା ଭାଗ୍ୟଲତା ପାଣିଗ୍ରାହୀଙ୍କ ସହ ଡକ୍ଟର ରାଜେନ୍ଦ୍ର ପାଢ଼ୀ, ମୋହନା ରାଓ, ଅରୁଣ କୁମାର ପଟ୍ଟନାୟକ, ଏମ୍.ଡି. ବବଲୁ, ଗୋପାଳ ପଟ୍ଟନାୟକ ଓ ପ୍ରତ୍ୟୁଷା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଧନଞ୍ଜୟ, ଡକ୍ଟର ରାଜେନ୍ଦ୍ର ପାତ୍ର, ଶ୍ରୀକାନ୍ତ ରାଉତ, ଅରୁଣ କୁମାର ପଟ୍ଟନାୟକ, ଜ୍ୟୋତିରଞ୍ଜନ, ଗୋପାଳ ପଟ୍ଟନାୟକ ଓ ସୁବାସ ପାତ୍ରଙ୍କୁ ବିଶେଷ କୃତଜ୍ଞତା ଜଣାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି