
କଛାର (ଆସାମ), ୨୭ ଅଗଷ୍ଟ (ହି.ସ.)- ନିଶାଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆସାମର କଛାର ଜିଲ୍ଲାରେ ପୋଲିସ ପ୍ରାୟ ୧୬୮ କୋଟି ଟଙ୍କା ମୂଲ୍ୟର ୫.୬୦ ଲକ୍ଷ ୟାବା ଟାବଲେଟ୍ ଜବତ କରିଛି । ଲକ୍ଷିପୁରର ଜୁଜାଙ୍ଗ ପାହାଡ଼ ଅଂଚଳରେ ଏକ ଗୁପ୍ତ ସୂଚନା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ପୋଲିସର କହିବା ଅନୁଯାୟୀ, ମଣିପୁର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍ କୁ ଅଟକାଇ ଯାଂଚ୍ କରାଯାଇଥିଲା । ଖୋଜାଖୋଜି ସମୟରେ, ଟ୍ରକ୍ ରୁ ବିପୁଳ ପରିମାଣର ୟାବା ଟାବଲେଟ୍ ଜବତ କରାଯାଇଥିଲା । ଉଦ୍ଧାର ହୋଇଥିବା ନିଶାଦ୍ରବ୍ୟ ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୧୬୮ କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ତାଙ୍କୁ ପଚରାଉଚରା କରାଯାଉଛି ଏବଂ ଏତେ ପରିମାଣର ନିଶାଯୁକ୍ତ ଟାବଲେଟ୍ କେଉଁଠାରୁ ଅଣାଯାଇଥିଲା ଏବଂ ଏଗୁଡ଼ିକୁ କେଉଁଠାକୁ ପରିବହନ କରାଯିବାର ଥିଲା ତାହା ଜାଣିବାକୁ ପ୍ରୟାସ କରାଯାଉଛି ।
ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଅଧିକାରୀଙ୍କ ଅନୁଯାୟୀ, ଏହି ନେଟୱାର୍କ ସହିତ ଜଡ଼ିତ ଅନ୍ୟ ମାନଙ୍କୁ ଖୋଜିବା ପାଇଁ ମଧ୍ୟ ଅନୁସନ୍ଧାନ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ