
ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲାରେ କୋଇଲା ପରିବହନ ବ୍ୟବସ୍ଥାରେ ସ୍ଥାନୀୟ ଏଜେନ୍ସି ଓ ଗାଡ଼ିମାଲିକମାନଙ୍କୁ ସମାନ ସୁଯୋଗ ଦେବା ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୀର୍ଘ ୩୫ ଦିନ ଧରି ରିଲେ ଅନଶନ ଜାରି ରହିଥିବାବେଳେ, ଦାବି ପୂରଣ ଦିଗରେ ଠୋସ୍ ପଦକ୍ଷେପ ନିଆନଗଲେ ଆସନ୍ତା ୪ ତାରିଖରେ ପୁନର୍ବାର ରେଳରୋକ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ପ୍ରେସ୍ ବାର୍ତା ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ହେଉଥିବା କୋଇଲା ପରିବହନ କାର୍ଯ୍ୟରେ ଜିଲ୍ଲାର ସମସ୍ତ ସ୍ଥାନୀୟ ଏଜେନ୍ସି ଓ ଗାଡ଼ିମାଲିକଙ୍କୁ ସମାନ ପରିମାଣରେ କାମର ସୁଯୋଗ ମିଳୁନାହିଁ। ଏହା ଫଳରେ ଭଦ୍ରକର ମୂଳ ବାସିନ୍ଦା ଅନେକ ଗାଡ଼ିମାଲିକ ଓ ପରିବହନ ବ୍ୟବସାୟ ସହ ଜଡ଼ିତ ପରିବାର ଆର୍ôଥକ ଭାବେ ପ୍ରଭାବିତ ହେଉଥିବା ସେମାନେ ଦାବି କରିଛନ୍ତି। ୩୫ ଦିନ ଧରି ରିଲେ ଅନଶନ ସ୍ଥାନୀୟ ଗାଡ଼ିମାଲିକ ଓ ପରିବହନ ସଂପୃକ୍ତ ବ୍ୟକ୍ତିମାନଙ୍କ ଦାବିକୁ ନେଇ ପୂର୍ବରୁ ମଧ୍ୟ ଆନ୍ଦୋଳନ, ଧରଣା ଓ ରେଳରୋକ ଭଳି ଗଣତାନ୍ତ୍ରିକ ପ୍ରତିବାଦ କରାଯାଇଥିବା କୁହାଯାଇଛି। ବର୍ତମାନ ଦୀର୍ଘ ୩୫ ଦିନ ହେଲା ରିଲେ ଅନଶନ ମାଧ୍ୟମରେ ଦାବି ଉପସ୍ଥାପନ କରାଯାଉଛି। ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ସମସ୍ତ ଷ୍ଟେକ୍ହୋଲ୍ଡରଙ୍କୁ ଦାବି ଓ ସମସ୍ୟା ସମ୍ପର୍କରେ ପୂର୍ବରୁ ଅବଗତ କରାଯାଇଛି। ତଥାପି ଏଯାବତ୍ ଦାବିର ସ୍ଥାୟୀ ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ସମସ୍ତ ଏଜେନ୍ସିକୁ ସମାନ ସୁଯୋଗ ଦାବି ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ହେଉଛି, ଭଦ୍ରକରେ କୋଇଲା ପରିବହନରେ ସ୍ଥାନୀୟ ସମସ୍ତ ଯୋଗ୍ୟ ଏଜେନ୍ସିକୁ ନ୍ୟାୟସଙ୍ଗତ ଭାବରେ କାମର ସୁଯୋଗ ଦିଆଯାଉ। ଏଥିସହ ଜିଲ୍ଲାର ସ୍ଥାନୀୟ ଗାଡ଼ିମାଲିକମାନଙ୍କୁ ମଧ୍ୟ ପରିବହନ କାର୍ଯ୍ୟରେ ଅଧିକ ସୁଯୋଗ ଦେଇ ସେମାନଙ୍କୁ ଆର୍ôଥକ ଭାବେ ସଶକ୍ତ କରାଯାଉ ବୋଲି ଦାବି ରହିଛି। ତିହିଡ଼ି, ପିରାହାଟ, ଚାନ୍ଦବାଲି ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳର ଗାଡ଼ିମାଲିକ ଓ ପରିବହନ ବ୍ୟବସାୟୀମାନେ ଏହି ଆନ୍ଦୋଳନ ସହ ଜଡ଼ିତ ହୋଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି। କୋଇଲା ପରିବହନରୁ ମିଳୁଥିବା ଆର୍ôଥକ ସୁଯୋଗରେ ସ୍ଥାନୀୟ ଲୋକଙ୍କ ଅଂଶୀଦାରିତ୍ୱ ନିଶ୍ଚିତ କରିବାକୁ ସେମାନେ ଦାବି ଉଠାଇଛନ୍ତି। ଆର୍ôଥକ ସଙ୍କଟରେ ଗାଡ଼ିମାଲିକ ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ପରିବହନ କାର୍ଯ୍ୟରେ ନିୟୋଜିତ ହୋଇପାରୁନଥିବା କିମ୍ବା ପର୍ଯ୍ୟାପ୍ତ କାମ ନମିଳିବାରୁ ଅନେକ ଗାଡ଼ିମାଲିକ ଆର୍ôଥକ ଚାପରେ ରହିଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଗାଡ଼ି କିଣିବା ପାଇଁ ନିଆଯାଇଥିବା ଋଣ, ଡ୍ରାଇଭର ଓ କର୍ମଚାରୀଙ୍କ ଖର୍ଚ୍ଚ, ଗାଡ଼ିର ରକ୍ଷଣାବେକ୍ଷଣ ସହିତ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ୁଥିବା ବେଳେ ନିୟମିତ କାମ ନମିଳିଲେ ସେମାନେ ଅଧିକ ଆର୍ôଥକ ସଙ୍କଟରେ ପଡ଼ୁଥିବା ଦାବି କରାଯାଇଛି। ତେଣୁ ଯେଉଁ ଗାଡ଼ିମାଲିକମାନେ ବର୍ତମାନ ଆର୍ôଥକ ତଙ୍ଗି ଓ ଅନାଟନ ମଧ୍ୟରେ ଗତି କରୁଛନ୍ତି, ସେମାନଙ୍କୁ ମଧ୍ୟ କୋଇଲା ପରିବହନ ବ୍ୟବସ୍ଥାରେ ନ୍ୟାୟସଙ୍ଗତ ଭାବରେ ସାମିଲ କରାଯାଉ ବୋଲି ଦାବି ହୋଇଛି। ଦଳମତ ନିର୍ବିଶେଷରେ ସମର୍ଥନ ପାଇଁ ଆହ୍ୱାନ ଆନ୍ଦୋଳନକାରୀମାନେ ଭଦ୍ରକ ଜିଲ୍ଲାର ସାଧାରଣ ଜନତାଙ୍କୁ ଦଳମତ ନିର୍ବିଶେଷରେ ଏହି ଦାବି ପ୍ରତି ନୈତିକ ସମର୍ଥନ ଦେବାକୁ ଆହ୍ୱାନ ଦେଇଛନ୍ତି। ଭଦ୍ରକରେ ଆଗାମୀ ଦିନରେ ଯେଉଁ ଶିଳ୍ପାୟନ ଓ ଆର୍ôଥକ ବିକାଶ ହେବ, ସେଥିରେ ସ୍ଥାନୀୟ ଯୁବକ-ଯୁବତୀ ଓ ଶିକ୍ଷିତ ପିଢ଼ି ଯେପରି ଅଂଶୀଦାର ହୋଇପାରିବେ, ସେ ଦିଗରେ ଏବେଠାରୁ ସ୍ଥାନୀୟ ଲୋକଙ୍କ ଅଧିକାର ଓ ଆର୍ôଥକ ସୁଯୋଗ ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି। ୪ ତାରିଖରେ ପୁଣି ରେଳରୋକ ଚେତାବନୀ ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ପ୍ରଶାସନ ଓ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ବାରମ୍ବାର ଦାବି ଜଣାଇବା ସତ୍ୱେ ସମାଧାନର ବାଟ ନଖୋଲିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ଏହାର ଅଂଶ ଭାବେ ଆସନ୍ତା ୪ ତାରିଖରେ ପୁନର୍ବାର ରେଳରୋକ କରାଯିବ ବୋଲି ସେମାନେ ଘୋଷଣା କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ପ୍ରତିବାଦ ଗଣତାନ୍ତ୍ରିକ ଉପାୟରେ କରାଯିବ। କୋଇଲା ପରିବହନକୁ ସ୍ୱଚ୍ଛ, ନ୍ୟାୟସଙ୍ଗତ ଓ ସମାନ ଭାବରେ ବଂଟନ କରି ସ୍ଥାନୀୟ ଗାଡ଼ିମାଲିକ ଓ ଏଜେନ୍ସିମାନଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ହେଉଛି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏବେ ଦୀର୍ଘ ୩୫ ଦିନର ରିଲେ ଅନଶନ ପରେ ଆନ୍ଦୋଳନକାରୀଙ୍କ ଘୋଷିତ ରେଳରୋକ ଆନ୍ଦୋଳନକୁ ନେଇ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ କର୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ