ସ୍ଵାୟତ୍ତ ଶାସନ ଦିବସ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ, ସାଂସଦ ଓ ବିଧାୟକଙ୍କ ନାମ ବାଦ୍ ନେଇ ପୌରପରିଷଦକୁ ସ୍ପଷ୍ଟୀକରଣ ଦାବି
BJP demands clarification
BJP demands clarification


ଝାରସୁଗୁଡ଼ା, ୨୯ ଅଗଷ୍ଟ (ହି.ସ.)- ଆସନ୍ତା ୩୧ ତାରିଖରେ ପାଳିତ ହେବ ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ପ୍ରକାଶିତ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ ଦେଖାଦେଇଛି। ନିମନ୍ତ୍ରଣ ପତ୍ରରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ କରି ପୌରପରିଷଦର କିଛି କାଉନସିଲର ଓ ବିଜେପି କର୍ମକର୍ତ୍ତା ତୀବ୍ର ପ୍ରତିବାଦ ଜଣାଇଛନ୍ତି। ଏନେଇ ଶନିବାର ଅପରାହ୍ନରେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କାଉନସିଲରମାନେ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ଗତ ୨୦ ଅଗଷ୍ଟରେ ଅନୁଷ୍ଠିତ ପୌରପରିଷଦ କାଉନସିଲ ବୈଠକରେ ସ୍ୱାୟତ୍ତ ଶାସନ ଦିବସ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କୁ ଆମନ୍ତ୍ରଣ କରିବା ନେଇ ନିଷ୍ପତ୍ତି ହୋଇଥିବା ସେମାନେ କହିଛନ୍ତି।

ତେବେ ପ୍ରକାଶିତ ନିମନ୍ତ୍ରଣ ପତ୍ରରେ ମନ୍ତ୍ରୀଙ୍କ ନାମ ଥିବାବେଳେ ଲୋକସଭା ସାଂସଦ ଓ ଝାରସୁଗୁଡ଼ା ବିଧାୟକଙ୍କ ନାମ ନଥିବାକୁ ନେଇ କାଉନସିଲର ଦେବବ୍ରତ ପାଣ୍ଡେ, ତରଙ୍ଗ ଦୁବେ ଓ ବନ୍ଦନା ମୁନ୍ଦ୍ରା ପ୍ରଶ୍ନ ଉଠାଇଛନ୍ତି। ଏହା କେବଳ ମୁଦ୍ରଣ ତ୍ରୁଟି ନା ଜାଣିଶୁଣି ଏପରି କରାଯାଇଛି, ପୌରପରିଷଦ ଏନେଇ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି। ପୌରପରିଷଦ ଏକ ସାର୍ବଜନୀନ ସ୍ୱାୟତ୍ତ ଶାସନ ସଂସ୍ଥା ହୋଇଥିବାରୁ ଏହାର ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ରାଜନୀତି କିମ୍ବା ବ୍ୟକ୍ତିଗତ ପସନ୍ଦର ସ୍ଥାନ ରହିବା ଉଚିତ ନୁହେଁ। ସମସ୍ତ ସମ୍ପୃକ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଯଥାଯଥ ସମ୍ମାନ ଓ ପ୍ରୋଟୋକଲ ଅନୁଯାୟୀ ସ୍ଥାନ ଦିଆଯିବା ଉଚିତ ବୋଲି କାଉନସିଲରମାନେ ମତ ଦେଇଛନ୍ତି।

ଦାବିପତ୍ରରେ ଚାରି ଦଫା ଦାବି ରଖାଯାଇଛି। ନିମନ୍ତ୍ରଣ ପତ୍ରରୁ ସାଂସଦ ଓ ବିଧାୟକଙ୍କ ନାମ କାହିଁକି ବାଦ ପଡ଼ିଲା, ତାହାର କାରଣ ସ୍ପଷ୍ଟ କରିବା, ଏହା ମୁଦ୍ରଣ ତ୍ରୁଟି ହୋଇଥିଲେ ଦାୟିତ୍ୱ ନିର୍ଦ୍ଧାରଣ କରିବା, ଜାଣିଶୁଣି ଏପରି କରାଯାଇଥିଲେ ତଦନ୍ତ କରିବା ଏବଂ ଭବିଷ୍ୟତରେ ସମସ୍ତ ସରକାରୀ ପୌର କାର୍ଯ୍ୟକ୍ରମକୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖିବାକୁ ଦାବି କରାଯାଇଛି। ଘଟଣାକୁ କେବଳ ‘ପ୍ରିଣ୍ଟିଂ ଭୁଲ’ କହି ଦାୟିତ୍ୱ ଏଡ଼ାଇ ନଯାଇ ପୌରପରିଷଦ ଏହାକୁ ଗୁରୁତ୍ୱର ସହ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି କାଉନସିଲରମାନେ ଆଶା ପ୍ରକାଶ କରିଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ ବିଜେପି କାଉନସିଲର ବନ୍ଦନା ମୁନ୍ଦ୍ରା, ତରଙ୍ଗ ଦୁବେ ଓ ଦେବବ୍ରତ ପାଣ୍ଡେଙ୍କ ସମେତ ବିଜେପି ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ, ଅରବିନ୍ଦ ପାଠକ, ସୋନୁ ଥିରାଣୀଙ୍କ ସହ ବହୁ ସଂଖ୍ୟକ ବିଜେପି କର୍ମୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande