




ସମ୍ବଲପୁର, ୨୯, ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଂଚଳର କିରବା ଠାରେ ଆଜି ଏକ ବର୍ବରୋଚିତ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଗୁଳିମାଡ଼ରେ ୩୬ ବର୍ଷ ବୟସ୍କ ମହମ୍ମଦ ଅନିଶ ନାମକ ଜଣେ ମାଂସ ବ୍ୟବସାୟୀଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଆଜି ଦିନ ୧୧ ଟା ବୁର୍ଲା କିରବା ଅଂଚଳରେ ମହମ୍ମଦ ଆନିଶ୍ ନିଜ ମାଂସ ଦୋକାନର ବ୍ୟବସାୟୀକ ପସରା ସଜାଡୁ ଥିବାବେଳେ ହଠାତ୍ ଏକ ଅଟୋ ରିକ୍ସାରେ ସେଠାରେ ରାଜା ସ୍ୱାମୀ ନାମକ ଅଭିଯୁକ୍ତ ପହଂଚି ଦେଶୀ ବନ୍ଧୁକରୁ ଆଖିବୁଜା ଗୁଳି ମାଡ଼ କରିଥିଲା । ଏହା ଦେଖି ଦୋକାନ ଛାଡି ଭୟରେ ଆନିଶ୍ ରାସ୍ତାରେ ଦୌଡି ପଳାଉଥିଲେ ମଧ୍ୟ ରାଜା ଗୋଡ଼ାଇ ଗୋଡ଼ାଇ ୪ ରାଉଣ୍ଡ ଗୁଳି ମାରିଥିଲା । ଏଥି ମଧ୍ୟରୁ ୩ ଗୁଳି ଆନିଶ୍ ଦେହରେ ବାଜିବା ପରେ ସେହିଠାରେ ହିଁ ଟଳି ପଡ଼ିଥିଲା । ଖବର ପାଇ ବୁର୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତୁରନ୍ତ ଅନିଶକୁ ଭିମସାର ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଦିନ ଦ୍ୱିପହରରେ ବୁର୍ଲା ରାଜ ରାସ୍ତାରେ ଗୁଳି ମାଡ଼ ହେବା ଘଟଣା ପ୍ରଘଟ ହେବା ପରେ ସମଗ୍ର ସମ୍ବଲପୁର ସହରରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ନିର୍ଦ୍ଧେଶକ୍ରମେ ପୋଲିସ ଫୁଲ୍ ଆକ୍ସନ ମୁଡକୁ ଓହ୍ଲାଇ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀକୁ ଗୋଡାଇ ଗୋଡାଇ ଧରି ଗିରଫ କରିଥିଲା । ସୂଚନାଯୋଗ୍ୟ ହତ୍ୟାକାରୀ ଓ ମୃତକ ପୂର୍ବ ପରିଚିତ ଓ ଏକାଠି ମାଂସ ବ୍ୟବସାୟ କରନ୍ତି । ଏପରିକି ଉଭୟ ଗୋଟିଏ ଭଡା ଘରେ ମଧ୍ୟ ଏକାଠି ରହୁଥିଲେ । ହେଲେ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଓ ବ୍ୟବସାୟୀକ କାରଣକୁ ନେଇ ଦୀର୍ଘ ଦିନରୁ ଛକାପଞ୍ଝା ଲାଗି ରହି ଆସିଥିଲା । ପୂର୍ବରୁ ଉଭୟଙ୍କ ମଧ୍ୟରେ ଏକାଧିକ ଥର ପାଟିତୁଣ୍ଡ ଓ ପିଟାପିଟି ହେବାପରେ ଆପୋଷ ସମାଧାନ ହୋଇଥିବା ନଜୀର ମଧ୍ୟ ରହିଛି । ଏହି ଘଟଣାରେ ହତ୍ୟାକାରୀ ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ବଜାରର ରାଜା ସ୍ୱାମୀ ବୋଲି ଚିହ୍ନଟ ହୋଇଛି । ବୁର୍ଲା ଥାନା ପୋଲିସ ହତ୍ୟାକାରୀକୁ ଗୋଡାଇ ଗୋଡାଇ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରିଛି । ଏହି ଘଟଣାର କାରଣକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଚାରୋଟି ଥାନା ଅଧିକାରୀ ମିଳିତ ଭାବେ ତଦନ୍ତ କରିବା ସହ ସ୍ୱତନ୍ତ୍ର ଅନୁସନ୍ଧାନ କାରୀ ଦଳ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲା । ଏଭଳି ଦୁଃଖଦ ଖବର ପାଇବା ପରେ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଂଚିଥିଲେ । ସୂଚନାଯୋଗ୍ୟ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ବିଗତ ୩ ବର୍ଷ ଧରି ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ଜୋରଦାର ତନାଘନା ଆରମ୍ଭ କରିଛି । ଫଳରେ ଚୋରା ମାଦକଦ୍ରବ୍ୟ ଚାଲାଣ କାରୀ ବିଭିନ୍ନ ସମୟରେ ପୋଲିସର ତଦନ୍ତ ଜାଲରେ ଧରାପଡିବା ସହ ବେଆଇନ ଗୋ-ଚାଲାଣରେ ମଧ୍ୟ ଅଙ୍କୁଶ ଲାଗିବାରେ ପୋଲିସକୁ ବେଶ୍ ସଫଳତା ମିଳିଛି । ସମ୍ବଲପୁର ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଦିଗକୁ ଆଜିର ଏହି ଗୁଳିମାଡ ଘଟଣା କିଛି ଟା ଭିନ୍ନତା ସୃଷ୍ଟି କରାଇଛି । ସେଥି ମଧ୍ୟରେ ବ୍ୟବହୃତ ମାରଣାସ୍ତ୍ର । ସହରର ବିଭିନ୍ନ ଅସାମାଜିକ ଗୋଷ୍ଠିଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଦେଶୀ ବନ୍ଧୁକ ରହିବା ଆଶଙ୍କା ଏବେ ସୁସ୍ଥ ସମାଜ ପ୍ରତି ଏକ ଅଜଣା ଆତଙ୍କ ସୃଷ୍ଟି କରାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ