
ଝାରସୁଗୁଡ଼ା, ୨୯ ଅଗଷ୍ଟ (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଚାନକ ଗସ୍ତ ସମୟରେ ଇବ୍ ସେତୁ ନିକଟରେ ଏକ ଫ୍ଲାଏ ଆସ୍ ଖାଲି ଗାଡ଼ିକୁ ଅଟକ ରଖି ଜବତ କରାଯାଇଛି। ନିୟମ ଉଲ୍ଲଙ୍ଘନ କରି ଚଳାଚଳ କରୁଥିବା ଏହି ଗାଡ଼ିଟିକୁ ଜିଲ୍ଲାପାଳ ତୁରନ୍ତ ଅଟକାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୋଲିସ ଓ ଆଂଚଳିକ ପରିବହନ ଅଧିକାରୀଙ୍କ ହେପାଜତକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ସମ୍ପର୍କରେ ଆଂଚଳିକ ପରିବହନ ଅଧିକାରୀ ଗୌରହରି ହାଁସଦା ସୂଚନା ଦେଇ ଜଣାଇଛନ୍ତି ଯେ, ମୋଟର ଯାନ ଆଇନ ଅନୁଯାୟୀ ଉକ୍ତ ଗାଡ଼ିଟିକୁ ଅଟକ ରଖାଯାଇ ୯,୦୦୦ ଟଙ୍କାର ଚାଲାଣ ଜରିମାନା କରାଯାଇଛି। ଏଥିସହ ଫ୍ଲାଏ ଆସ୍ ଅନଲୋଡ୍ ହେବା ପରେ ଖାଲି ଗାଡ଼ିଗୁଡ଼ିକୁ ଉପଯୁକ୍ତ ଭାବେ ସଫା ନକରି ରାସ୍ତାରେ ଚଳାଚଳ କରିବା ଦ୍ୱାରା ପ୍ରବଳ ଧୂଳି ଉଡ଼ି ପରିବେଶ ପ୍ରଦୂଷଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହାକୁ ରୋକିବା ପାଇଁ ସମସ୍ତ ଖାଲି ଫ୍ଲାଏ ଆସ୍ ଗାଡ଼ିର ଉପଯୁକ୍ତ ଯାଂଚ କରିବା ସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ