
ଝାରସୁଗୁଡ଼ା, 29 ଅଗଷ୍ଟ (ହି.ସ.) ବେଆଇନ କୋଡିନ୍ଯୁକ୍ତ କଫ୍ ସିରପ୍ କାରବାର ବିରୋଧରେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ପୁଲିସ ବଡ଼ଧରଣର ଚଢ଼ାଉ କରିଛି। ଚଢ଼ାଉ ସମୟରେ ୧୬୩୨ ବୋତଲ, ଅର୍ଥାତ୍ ୧୬୩.୨ ଲିଟର କୋଡିନ୍ଯୁକ୍ତ କଫ୍ ସିରପ୍ ଜବତ କରାଯିବା ସହ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ବଡ଼ମାଲ ଥାନା ଅନ୍ତର୍ଗତ ଶିବରାମପୁର ଅଞ୍ଚଳରେ ବେଆଇନ ଭାବେ କଫ୍ ସିରପ୍ ବିକ୍ରି ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୁଲିସ ଖବର ପାଇଥିଲା। ଏହାପରେ ପାଟ୍ରୋଲିଂ ଟିମ୍ ସେଠାରେ ଚଢ଼ାଉ କରି ଶିବରାମପୁରର ସଞ୍ଜୟ ରୋହିଦାସ (୨୧)ଙ୍କୁ ଅଟକ ରଖିଥିଲା। ସଞ୍ଜୟଙ୍କୁ ପଚରାଉଚରା କରିବା ପରେ କଫ୍ ସିରପ୍ର ଯୋଗାଣକାରୀ କୋଲାବିରା ଥାନା ଅନ୍ତର୍ଗତ ଗୁଚ୍ଛାପାଲିର ସାହିଲ ପଟେଲ (୨୬) ବୋଲି ପୁଲିସ ଜାଣିବାକୁ ପାଇଥିଲା। ପରେ ଶନିବାର ପୁଲିସ ଗୁଚ୍ଛାପାଲିରେ ଚଢ଼ାଉ କରି ସାହିଲଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ୧୬୩୨ ବୋତଲ କଫ୍ ସିରପ୍ ସମେତ ୨ଟି ମୋବାଇଲ୍ ଫୋନ୍ ଓ ୧୫୦୦ ଟଙ୍କା ନଗଦ ଜବତ କରାଯାଇଛି। ଏନେଇ ବଡ଼ମାଲ ଥାନାରେ ଏନ୍ଡିପିଏସ୍ ଆକ୍ଟ ଅଧୀନରେ କେସ୍ ନମ୍ବର ୩୦୯/୨୦୨୬ ରୁଜୁ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ