ଗେଲଟୁଆରେ ଶ୍ରୀ ଶ୍ରୀ ଗୋପାଲ ଜୀଉଙ୍କ ଝୁଲଣ ଯାତ୍ରା, ସାତ ଦିନ ଧରି ଭକ୍ତି ଓ ଉତ୍ସବର ମାହୋଲ; ଶେଷ ତିନି ଦିନରେ ଯାତ୍ରା ଓ ଅପେରାରେ ଜମିବ ଆସର
ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ପରମ୍ପରା, ଭକ୍ତି ଓ ଭାଇଚାରାର ଅନନ୍ୟ ସମନ୍ୱୟରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ପଂଚାୟତର ସାନ ମହାନ୍ତି ସାହିରେ ଶ୍ରୀ ଶ୍ରୀ ଗୋପାଲ ଜୀଉଙ୍କ ଝୁଲଣ ଯାତ୍ରା ମହୋତ୍ସବ ଚଳିତ ବର୍ଷ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳିତ ହେଉଛି। ସାନ ମହାନ୍ତି ସାହିସ୍ଥିତ ଶ୍ରୀ ଶ୍ରୀ ଗୋପାଲ
GELTUA JHULANA YATRA


ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ପରମ୍ପରା, ଭକ୍ତି ଓ ଭାଇଚାରାର ଅନନ୍ୟ ସମନ୍ୱୟରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ପଂଚାୟତର ସାନ ମହାନ୍ତି ସାହିରେ ଶ୍ରୀ ଶ୍ରୀ ଗୋପାଲ ଜୀଉଙ୍କ ଝୁଲଣ ଯାତ୍ରା ମହୋତ୍ସବ ଚଳିତ ବର୍ଷ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳିତ ହେଉଛି। ସାନ ମହାନ୍ତି ସାହିସ୍ଥିତ ଶ୍ରୀ ଶ୍ରୀ ଗୋପାଲ ଜୀଉଙ୍କ ମନ୍ଦିରକୁ କେନ୍ଦ୍ର କରି ଆୟୋଜିତ ଏହି ପାରମ୍ପରିକ ଉତ୍ସବ ସାତ ଦିନ ଧରି ଚାଲିଥାଏ। ଝୁଲଣ ଯାତ୍ରାକୁ ନେଇ ମନ୍ଦିର ପରିସର ସମେତ ସମଗ୍ର ଗେଲଟୁଆ ଗ୍ରାମରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଝୁଲଣ ଯାତ୍ରା ଅବସରରେ ପ୍ରତିଦିନ ଶ୍ରୀ ଶ୍ରୀ ଭୋପାଲଜୀଉଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ନୀତିକାନ୍ତି ଓ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସନ୍ଧ୍ୟା ସମୟରେ ମନ୍ଦିର ପରିସରରେ ଭକ୍ତମାନଙ୍କ ସମାଗମ ହେବା ସହ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି। ଝୁଲଣ ଯାତ୍ରାର ଧାର୍ମିକ ପରମ୍ପରା ସହିତ ସ୍ଥାନୀୟ ଲୋକଙ୍କ ଭାବାବେଗ ମଧ୍ୟ ଜଡ଼ିତ ରହିଛି। ଗେଲଟୁଆର ବିଭିନ୍ନ ମନ୍ଦିରରେ ଝୁଲଣ ଉତ୍ସବ । ଏହି ଉତ୍ସବ କେବଳ ସାନ ମହାନ୍ତି ସାହିର ଶ୍ରୀ ଶ୍ରୀ ଭୋପାଲଜୀଉ ମନ୍ଦିର ମଧ୍ୟରେ ସୀମିତ ନୁହେଁ। ଗେଲଟୁଆ ଗ୍ରାମର ଆହୁରି ପାଂଚଟି ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ପାଳନ କରାଯାଉଥିବାରୁ ସମଗ୍ର ଗ୍ରାମ ଏହି ସମୟରେ ଉତ୍ସବମୁଖର ହୋଇଉଠେ। ବିଭିନ୍ନ ମନ୍ଦିରରେ ଭକ୍ତିମୟ କାର୍ଯ୍ୟକ୍ରମ ସହ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳେ। ଗ୍ରାମର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରିବା ସହ ଝୁଲଣ ଯାତ୍ରାର ଆନନ୍ଦ ନେଇଥାନ୍ତି। ଫଳରେ ଏହି ଉତ୍ସବ ଗ୍ରାମର ସାମାଜିକ ଏକତା ଓ ଭାଇଚାରାକୁ ଆହୁରି ମଜବୁତ କରୁଥିବା ଦେଖାଯାଏ। ଶେଷ ତିନି ଦିନରେ ଯାତ୍ରା ଓ ଅପେରାର ଆକର୍ଷଣ। ସାତ ଦିନିଆ ଏହି ଝୁଲଣ ଯାତ୍ରାର ଶେଷ ତିନି ଦିନ ରହିଥାଏ ବିଶେଷ ଆକର୍ଷଣ। ଏହି ତିନି ଦିନରେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ତିନୋଟି ଯାତ୍ରା ପାର୍ଟି ପକ୍ଷରୁ ଅପେରା ପରିବେଷଣ କରାଯାଏ। ଯାତ୍ରା ଓ ଅପେରା ଦେଖିବା ପାଇଁ ଗେଲଟୁଆ ସମେତ ଆଖପାଖ ଅଂଚଳରୁ ବହୁ ଲୋକଙ୍କ ସମାଗମ ହୋଇଥାଏ। ଧାର୍ମିକ ଉତ୍ସବ ସାଙ୍ଗକୁ ଯାତ୍ରା ଓ ଅପେରାର ମନୋରଞ୍ଜନ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥାଏ। ସନ୍ଧ୍ୟା ହେବା ମାତ୍ରେ ଗ୍ରାମରେ ଲୋକଙ୍କ ଚଳଚଞ୍ଚଳତା ବଢ଼ିଯାଏ। ଦୂରଦୂରାନ୍ତରୁ ମଧ୍ୟ ଲୋକମାନେ ଯାତ୍ରା ଦେଖିବା ପାଇଁ ଆସିଥାନ୍ତି। ଏହାକୁ ନେଇ ଗ୍ରାମରେ ଏକ ମେଳଣ ଓ ଉତ୍ସବର ପରିବେଶ ସୃଷ୍ଟି ହୁଏ। ଯୁବବର୍ଗଙ୍କ ସକ୍ରିୟ ଭୂମିକା । ଏହି ଝୁଲଣ ଯାତ୍ରାର ସଫଳ ଆୟୋଜନ ପଛରେ ସ୍ଥାନୀୟ ଯୁବବର୍ଗଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ମନ୍ଦିର ପରିସରର ସାଜସଜ୍ଜା, ଆଲୋକୀକରଣ, ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା ଓ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନାରେ ଯୁବକମାନେ ଉତ୍ସାହର ସହ ଯୋଗଦେଉଛନ୍ତି। ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରାଯାଉଛି। ଉତ୍ସବ ପରିଚାଳନାରେ ସଭାପତି କୈଳାଶ ମହାନ୍ତି, ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସମେତ ଦେବଦତ ମହାନ୍ତି, ମନୋଜ ମହାନ୍ତି, ରବିନାୟକ ମହାନ୍ତି, ବିଶ୍ୱମୋହନ ମହାନ୍ତି, ଜୋତି ପ୍ରକାଶ ମହାନ୍ତି , ସତ୍ୟ ପ୍ରକାଶ ମହାନ୍ତି, ଓମପ୍ରକାଶ ମହାନ୍ତି , ପ୍ରେମ ପ୍ରକାଶ ମହାନ୍ତି, ସୌମ୍ୟପ୍ରକାଶ ମହାନ୍ତି ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରୁଛନ୍ତି। ସେମାନଙ୍କ ସହ ବହୁ ସ୍ଥାନୀୟ ଯୁବକ ଓ ଗ୍ରାମବାସୀ ଉତ୍ସବର ସଫଳତା ପାଇଁ ନିଜର ସମୟ ଓ ଶ୍ରମ ଦେଉଛନ୍ତି। ପରମ୍ପରା ସହ ଜଡ଼ିତ ଗ୍ରାମବାସୀଙ୍କ ଭାବାବେଗ। ଗେଲଟୁଆର ଏହି ଝୁଲଣ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ; ଏହା ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ। ପ୍ରତିବର୍ଷ ଏହି ଉତ୍ସବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳେ। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇ ଆନନ୍ଦ ଉପଭୋଗ କରିଥାନ୍ତି। ଭକ୍ତି, ପରମ୍ପରା, ସଂସ୍କୃତି ଓ ମନୋରଞ୍ଜନକୁ ଏକାଠି କରିଥିବା ଗେଲଟୁଆର ଏହି ଝୁଲଣ ଯାତ୍ରା ଅଂଚଳବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଗ୍ରାମର ଯୁବବର୍ଗ ଓ ବୟୋଜ୍ୟେଷ୍ଠଙ୍କ ସମନ୍ୱୟରେ ଏହି ପରମ୍ପରା ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି। ସମଗ୍ର ଗେଲଟୁଆ ଗ୍ରାମରେ ଝୁଲଣ ଯାତ୍ରାକୁ ନେଇ ଉତ୍ସାହ ଓ ଆନନ୍ଦର ପରିବେଶ ଲାଗି ରହିଥିବା ବେଳେ ଶେଷ ତିନି ଦିନର ଯାତ୍ରା ଓ ଅପେରା କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande