
ନୂଆପଡ଼ା, ୨୯ ଅଗଷ୍ଟ (ହି.ସ.)- ହକି ଖେଳର ଯାଦୁଗର ତଥା ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ପାଳିତ ଜାତୀୟ କ୍ରୀଡ଼ା ଦିବସର ଦ୍ୱିତୀୟ ଦିବସ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରୀଡ଼ା ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ସହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ‘ଏକ ଘଂଟା ଖେଲ୍ କେ ମୈଦାନ ମେ’ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ାସ୍ଥିତ ପିଏମ୍ ଶ୍ରୀ ନେସନାଲ୍ ଉଚ୍ଚ ବିଦ୍ୟାଳୟର ଖେଲୋ ଇଣ୍ଡିଆ କବାଡ଼ି ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାଳିକା କବାଡ଼ି ମ୍ୟାଚ୍ ଆୟୋଜିତ ହୋଇଥିଲା। ଏଥିରେ ଖେଲୋ ଇଣ୍ଡିଆ କବାଡ଼ି ସେଂଟର ଦଳ ଓ କୋମନା ବ୍ଲକ୍ର ବାଞ୍ଜିବାହାଲ ଉଚ୍ଚ ବିଦ୍ୟାଳୟର ବାଳିକା କବାଡ଼ି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି, ପିଏମ୍ ଶ୍ରୀ ନେସନାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋଲାପ ସାହୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାମାକାନ୍ତ ବିଶ୍ୱାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ରୋମାଂଚକର ମ୍ୟାଚରେ ଖେଲୋ ଇଣ୍ଡିଆ କବାଡ଼ି ସେଂଟର ଦଳ ବିଜୟୀ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଞ୍ଜିବାହାଲ ଉଚ୍ଚ ବିଦ୍ୟାଳୟ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଜିଲ୍ଲାପାଳ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
ପିଏମ୍ ଶ୍ରୀ ନେସନାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କ୍ରୀଡ଼ା ଶିକ୍ଷକ ମୋହନ ମହାନ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଟ୍ରେନର ଦେବଦତ ସାହୁ, ସରୋଜ କୁମାର ଭୋଇ, ଦେବେନ୍ଦ୍ର ପ୍ରଧାନ ଏବଂ ମହୁଳଭାତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରଧାନ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଖରିଆର ରୋଡସ୍ଥିତ ଜ୍ଞାନଜ୍ୟୋତି ବିଦ୍ୟାଳୟ ଓ ନବୋଦିତ ବିଦ୍ୟାଳୟ ପରିସରରେ ମଧ୍ୟ ଜାତୀୟ କ୍ରୀଡ଼ା ଦିବସ ପାଳନ ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଜ୍ଞାନଜ୍ୟୋତି ବିଦ୍ୟାଳୟର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଶାଲ ପ୍ରଜ୍ୱଳନ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।
ଅନ୍ୟପକ୍ଷରେ, ନୂଆପଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇନଡୋର୍ ହଲରେ ଜିଲ୍ଲାସ୍ତରୀୟ ବ୍ୟାଡମିଂଟନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ।
ଜାତୀୟ କ୍ରୀଡ଼ା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଶାରୀରିକ ଓ ମାନସିକ ସୁସ୍ଥତା ସହ କ୍ରୀଡ଼ା ମାଧ୍ୟମରେ ଶୃଙ୍ଖଳିତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା। ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରେ ଏହି ଅବସରରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ