
ନୂଆଦିଲ୍ଲୀ, ୨୯ ଅଗଷ୍ଟ (ହି.ସ.)- ରେଳ ଟ୍ରାକ୍ ତଳେ ସବୱେ ନିର୍ମାଣ ଭଳି ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ବର୍ତମାନ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ କମ୍ ସମୟରେ ସମାପ୍ତ ହେଉଛି । ପଶ୍ଚିମ ରେଳବାଇ ଅହମ୍ମଦାବାଦରେ ମାତ୍ର ଆଠ ଘଂଟାରୁ କମ୍ ସମୟର ଏକ ରାତ୍ରିକାଳୀନ ବ୍ଲକ୍ ରେ ୨୧ ମିଟର ଲମ୍ବ ପଥଚାରୀ ସବୱେ ସ୍ଥାପନ କରି ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ କରିଛି । ଏଥି ସହିତ ଭିୱାଣ୍ଡିରେ ସାତଟି କାର୍ଯ୍ୟକ୍ଷମ ରେଳ ଲାଇନ ତଳେ ହାଇଡ୍ରୋଲିକ୍ ପୁଶିଂ ଟେକ୍ନୋଲୋଜି ସହିତ ଏକ ଜଳରୋଧୀ ପାଦଚଲା ସବୱେ ପ୍ରସ୍ତୁତ କରାଯାଇଛି । ଏହି ଦୁଇଟି ଯାକ ପ୍ରକଳ୍ପରେ ଫ୍ୟାକ୍ଟ୍ରି ନିର୍ମିତ ପ୍ରି-କାଷ୍ଟ ଆର. ସି. ସି. ବକ୍ସ ଏବଂ ଅତ୍ୟାଧୁନିକ ଜଳନିରୋଧୀ ପ୍ରଯୁକ୍ତି ବ୍ୟବହାର କରାଯାଇଛି ।
ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଅହମ୍ମଦାବାଦରେ ପଶ୍ଚିମ ରେଳବାଇର ନିର୍ମାଣ ୟୁନିଟ୍ କାରଖାନାରେ ପ୍ରସ୍ତୁତ ପ୍ରି-କାଷ୍ଟ ଆର. ସି. ସି. ବକ୍ସ ସ୍ଥାପନ କରି ପାଦଚଲା ସବୱେ ର ନିର୍ମାଣ କରିଥିଲା । ୨୧ ମିଟର ଲମ୍ବ ଏହି ସବୱେ ରେ ୧୪ଟି ପ୍ରି-କାଷ୍ଟ ସେଗମେଂଟ ରହିଛି । ଏହାକୁ କଟ୍-ଆଣ୍ଡ-କଭର ପଦ୍ଧତିରେ ଆଠ ଘଂଟାରୁ କମ୍ ସମୟର ଏକ ନାଇଟ୍ ବ୍ଲକ୍ ରେ ସେଟ୍ କରାଯାଇଥିଲା । ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ଦୀର୍ଘ ସମୟ ଧରି ରେଳ ପରିଚାଳନା କାର୍ଯ୍ୟ ବାଧାପ୍ରାପ୍ତ ନହୋଇ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।
ସବୱେର ମଜବୁତ ଏବଂ ଜଳରୋଧକ କ୍ଷମତା ବୃଦ୍ଧି ପାଇଁ ଆର.ସି.ସି. ବାକ୍ସଗୁଡ଼ିକର ପୋଷ୍ଟ-ଟେନ୍ସନିଂ ସହିତ ସ୍ୱେଲିଂଗ ଗ୍ୟାସ୍କେଟ, ଡିମ୍ପଲ୍ ବୋର୍ଡ, ଏବଂ ଏସ୍. ବି. ଏସ୍. ମେମ୍ବ୍ରେନ ଭଳି କୌଶଳର ବ୍ୟବହାର କରାଯାଇଛି । ଏହା ଢାଂଚାକୁ ଦୀର୍ଘ ସମୟ ଧରି ସ୍ଥାୟୀ ରଖିବାରେ ସାହାଯ୍ୟ କରିବ ଏବଂ ଜଳ ନିଷ୍କାସନ ସମସ୍ୟାକୁ ରୋକିବ ।
ଭିୱାଣ୍ଡିରେ ଥିବା ପାନବେଲ-ବସଇ ରେଳ ଡିଭିଜନ୍ ରେ ରେଳବାଇ ଏହାଠାରୁ ଆହୁରି ଅଧିକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଶେଷ କରିଛି । ଏଠାରେ ସାତଟି କାର୍ଯ୍ୟକ୍ଷମ ରେଳ ଲାଇନ ତଳେ ପ୍ରଥମ ଥର ପାଇଁ ଏକ ଜଳରୋଧୀ ପାଦଚଲା ସବୱେ ନିର୍ମାଣ କରାଯାଇଛି । ଏଥିପାଇଁ ହାଇଡ୍ରୋଲିକ୍ ପୁଶିଂ ଟେକ୍ନୋଲୋଜି ମାଧ୍ୟମରେ ଟ୍ରାକ୍ ତଳେ ଚାରୋଟି ବୃହତ ପ୍ରି-କାଷ୍ଟ ଆରସିସି ସେଗମେଂଟକୁ ସ୍ଥାପନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ