କେନ୍ଦୁଝରରେ ଉତ୍ସାହର ସହ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ
କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରି ଆଜି କେନ୍ଦୁଝରର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡଠାରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ କ୍ରୀଡ଼ାବିତ୍, ଛାତ
National sports


କେନ୍ଦୁଝର, ୨୯ ଅଗଷ୍ଟ (ହି.ସ.) - କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରି ଆଜି କେନ୍ଦୁଝରର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡଠାରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, କ୍ରୀଡ଼ା ପ୍ରେମୀ ଏବଂ ସରକାରୀ ଅଧିକାରୀ ଯୋଗ ଦେଇଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ସାଂସଦ କେନ୍ଦୁଝର ଅନନ୍ତ ନାୟକ, ସମ୍ମାନନୀୟ ଅତିଥିଭାବେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା, ଶ୍ରୀମତୀ ନିକୁ ସାହୁ ଅତିରିକ୍ତ ଜିଲ୍ଲାପାଳ, ମନ୍ଦରଧର ମହାଳିକ, ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ପ୍ରଦୀପ କୁମାର ଜେନା, ହ୍ୟାଣ୍ଡବଲ ପ୍ରଶିକ୍ଷକ ରିତ୍ୱିକ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସରୋଜ କୁମାର ମଲ୍ଲିକ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଶିଷ୍ଟ କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ପ୍ରେମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

ଉପସ୍ଥିତ ସଭାକୁ ସମ୍ବୋଧିତ କରି ମାନ୍ୟବର ସାଂସଦ ଶ୍ରୀ ନାୟକ କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ, ବରଂ ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ ମନୋଭାବ, ନେତୃତ୍ୱ ଏବଂ ଦୃଢ଼ ସଂକଳ୍ପର ଭାବନା ବିକଶିତ କରିବାରେ ଅତ୍ୟନ୍ତ ଜରୁରୀ ବୋଲି ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ହକି ପ୍ରତି ମେଜର ଧ୍ୟାନଚାନ୍ଦଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇ ସାଂସଦ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ କ୍ରୀଡ଼ାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ଫିଟନେସକୁ ନିଜର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ସେ ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହନ ଓ ସୁଯୋଗ ଯୋଗାଇଦେବା ଉପରେ ଜୋର ଦେଇଥିଲେ, ଯଦ୍ଦ୍ୱାରା ସେମାନେ ଜିଲ୍ଲା, ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରିବେ। କ୍ରୀଡ଼ା ଭିତିଭୂମିର ଉନ୍ନତିକରଣ ଓ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୁରଦୃଷ୍ଟିସମ୍ପନ୍ନ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ କେନ୍ଦୁଝର ହ୍ୟାଣ୍ଡବଲ ଟିମ ଓ ସେଂଟ ଜାଭିଅର୍ସ ସ୍କୁଲ ମଧ୍ୟରେ ଏକ ମ୍ୟାଚ ଆୟୋଜିତ ହୋଇଥିଲା। କେନ୍ଦୁଝର ହ୍ୟାଣ୍ଡବଲ ଟିମ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦୁଇ ସଫଳ କ୍ରୀଡ଼ାବିତ ଭାନୁମତୀ ବେହେରା ଓ ରାଜାରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ଜାତୀୟ କ୍ରୀଡ଼ା ଦିବସ ପାଳନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା, ଯେଉଁଠାରେ ଛାତ୍ରଛାତ୍ରୀମାନେ ଶାରୀରିକ କାର୍ଯ୍ୟକଳାପ ଏବଂ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱକୁ ବୁଝାଇବା ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ଫିଟନେସ୍ କାର୍ଯ୍ୟକ୍ରମ ଏବଂ ସଚେତନତାମୂଳକ କାର୍ଯ୍ୟକଳାପରେ ଭାଗ ନେଇଥିଲେ।

କ୍ରୀଡ଼ା ମନୋଭାବକୁ ଆହୁରି ଦ୍ୱିଗୁଣିତ କରି ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଜିଲ୍ଲା ପ୍ରଶାସନ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଓ ଗଣମାଧ୍ୟମ ଏବଂ ଜିଲ୍ଲା ପ୍ରଶାସନ ଦଳ ମଧ୍ୟରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଯାହା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଏବଂ ସୁସ୍ଥ ପ୍ରତିଯୋଗିତାର ସୁଯୋଗ ସୃଷ୍ଟି କରିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande