
ଝାରସୁଗୁଡ଼ା, ୨୯ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ହକି ଷ୍ଟାଡିୟମଠାରେ ଜିଲ୍ଲା ହକି ଆସୋସିଏସନ୍ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଶତବାର୍ଷିକୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ତଥା ଜିଲ୍ଲା ହକି ଆସୋସିଏସନ୍ ର ନୂତନ ସମ୍ପାଦକ ସବ୍ୟସାଚୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ଜିଲ୍ଲାର ୬ଟି ବାଳକ ଓ ବାଳିକା ଦଳକୁ ନେଇ ପ୍ରଦର୍ଶନୀ ହକି ମ୍ୟାଚ୍ ଆୟୋଜିତ ହୋଇଥିଲା। ଏଥିରେ ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ଅଞ୍ଚଳର ଖେଳାଳିମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ହକି ଆସୋସିଏସନ୍ର ସବ୍-ଜୁନିୟର ବାଳକ ଦଳକୁ ହକି ସରଞ୍ଜାମ ପ୍ରଦାନ କରାଯାଇଥିଲା। ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାରେ ହକିର ବିକାଶ ଓ ନୂଆ ପ୍ରତିଭା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ହକି ଆସୋସିଏସନ୍ର ସଦସ୍ୟା ଜ୍ୟୋତି ଲାଟ, ପ୍ରତିଭା ମହାପାତ୍ର, ଗୀତାଞ୍ଜଳି ମହୋନ୍ତ, ଜିତେନ୍ଦ୍ର ମହୋନ୍ତ ଓ ସଂଯୁକ୍ତା ମହାପାତ୍ରଙ୍କ ସମେତ ପୁରାତନ ଓଡ଼ିଶା ମହିଳା ହକି ଦଳର ଗାୟତ୍ରୀ କିସାନ ଉପସ୍ଥିତ ଥିଲେ।
ସେହିପରି ଓଡ଼ିଶା ଷ୍ଟେଟ୍ ବ୍ରିଗେଡ୍ ଅର୍ଡା ସ୍କୁଲର ପ୍ରଧାନଶିକ୍ଷକ ଯୁଧିଷ୍ଠିର ରୋହିଦାସ, ଛବିରାଣୀ ରୋହିଦାସ, ନାରାୟଣ ତମାଙ୍ଗ, ହକି ଆସୋସିଏସନ୍ର କୋଷାଧ୍ୟକ୍ଷ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ, ହକି ଓଡ଼ିଶାର ଉପସଭାପତି ଜୀବନ ମହାନ୍ତି, କ୍ଲେମେଣ୍ଟ ରୋନାଲ୍ଡ, ବିଜୟ ବେହେରା, ସୁର୍ଣ୍ଣମୁଦ୍ରା ମହାନ୍ତି, ସତ୍ୟବ୍ରତ ମହାନ୍ତ, ପ୍ରଫୁଲ୍ଲ କୁଲୁ, ସକୁନ୍ଦ ନାୟକ ଓ ଡିଫୋର ଟେଟେଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ