
ସମ୍ବଲପୁର, ୨୯, ଅଗଷ୍ଟ (ହି.ସ.)ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ଆଗାମୀ ଅକ୍ଟୋବର ୧୩ ରୁ ୧୭ ତାରିଖ (୨୦୨୬) ପର୍ଯ୍ୟନ୍ତ ଝାରସୁଗୁଡ଼ା ସ୍ଥିତ ମାଲିମୁଣ୍ଡା କ୍ରିକେଟ୍ ଷ୍ଟାଡିୟମଠାରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିଯୁକ୍ତି ରାଲିରେ ଅନୁଗୋଳ, ବଲାଙ୍ଗିର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅଗ୍ନିବୀର ଯୋଜନା ଅଧୀନରେ ଜେନେରାଲ ଡ୍ୟୁଟି, ଟେକ୍ନିକାଲ୍, ଟ୍ରେଡ୍ସମ୍ୟାନ୍ (୮ମ) ଏବଂ ଟ୍ରେଡ୍ସମ୍ୟାନ୍ (୧୦ମ) ପଦବୀ ପାଇଁ ବଛାଯାଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିବେ। ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ଏକ୍ସାମିନେସନ୍ ରେ ଉତ୍ତୀର୍ଣ୍ଣ ହୋଇ ସର୍ଟଲିଷ୍ଟ୍ ହୋଇଥିବା ପ୍ରାର୍ଥୀମାନଙ୍କୁ ଶାରୀରିକ ସକ୍ଷମତା ପରୀକ୍ଷା ଓ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି।ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କ ପଞ୍ଜିକୃତ ଇମେଲ୍ ଆଇଡିକୁ ସେମାନଙ୍କର ଆଡମିଟ୍ କାର୍ଡ ପଠାଯାଇସାରିଛି। ଏହାଛଡ଼ା, ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ www.joinindianarmy.nic.in ରେ ଲଗ୍ ଇନ୍ କରି ନିଜ ପ୍ରୋଫାଇଲରୁ ମଧ୍ୟ ନିଯୁକ୍ତି ରାଲିର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। କୌଣସି ଅଧିକ ତଥ୍ୟ ବା ଅନୁସନ୍ଧାନ ପାଇଁ ପ୍ରାର୍ଥୀମାନେ ARO ସମ୍ବଲପୁରଙ୍କ ସହ ଟେଲିଫୋନ୍ ନମ୍ବର ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ରେ ଯୋଗାଯୋଗ କରିପାରିବେ।
ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ନିଯୁକ୍ତି ପ୍ରକ୍ରିୟା ସମୟରେ କୌଣସି ଦଲାଲ ବା ଏଜେଣ୍ଟଙ୍କ ପ୍ରଲୋଭନରେ ପଡ଼ି ନିଜର ମୂଳ ପ୍ରମାଣପତ୍ର ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ ନାହିଁ। ଯଦି ଏଭଳି କୌଣସି ଅସାଧୁ ବ୍ୟକ୍ତି ସମ୍ପର୍କରେ ଜଣାପଡେ, ତେବେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସମ୍ବଲପୁର ଏଆରଓ ନିଯୁକ୍ତି ଅଧିକାରୀଙ୍କୁ ଜଣାଇବାକୁ ନିବେଦନ କରାଯାଇଛି।ନିଯୁକ୍ତି ରାଲି ସମୟରେ ଏଭଳି ଦଲାଲମାନଙ୍କୁ ଗିରଫ କରିବା ଏବଂ କୌଣସି ପ୍ରକାର ଅସାଧୁ ଉପାୟକୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ଓ ବେସାମରିକ ପ୍ରଶାସନ ପକ୍ଷରୁ ମିଳିତ ଭାବେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ