
ଝାରସୁଗୁଡ଼ା, ୨୯ ଅଗଷ୍ଟ (ହି.ସ.) - ଦୀର୍ଘଦିନ ଧରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଯୋଗୁଁ କୋଲାବିରା ଅଂଚଳରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ପ୍ରତିବାଦରେ ଆଂଚଳିକ ବିକାଶ ପରିଷଦ ଲଇକେରା, କୋଲାବିରା, କିର୍ମିରା ସଂଗଠନ ପକ୍ଷରୁ ଶନିବାର ଏକ ବିଶାଳ ପଦଯାତ୍ରା ସହ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ସଂଗଠନର ଉପସଭାପତି ସ୍ୱରୂପ କିସାନ ଓ ସମ୍ପାଦକ ପ୍ରଶାନ୍ତ ମହାନନ୍ଦିଆଙ୍କ ନେତୃତ୍ୱରେ କୋଲାବିରା ମେଡିକାଲ ଛକରୁ ଏହି ପଦଯାତ୍ରା ଆରମ୍ଭ ହୋଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ଅଂଚଳବାସୀ ଓ ସଂଗଠନର କର୍ମକର୍ତା ସାମିଲ ହୋଇ ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥା ବିରୋଧରେ ସ୍ୱର ଉତୋଳନ କରିଥିଲେ।
ଅଭିଯୋଗ ଅନୁଯାୟୀ, କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏହା ଅଧୀନସ୍ଥ ପିଏଚସି ଗୁଡ଼ିକରେ ମୋଟ ୨୨ଟି ମଞ୍ଜୁରିପ୍ରାପ୍ତ ଡାକ୍ତରୀ ପଦବୀ ମଧ୍ୟରୁ ୧୪ଟି ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଛି। ଏହାସହ ୨ଟି ପ୍ରଶାସନିକ ପଦବୀ ମଧ୍ୟ ଶୂନ୍ୟ ରହିଛି। ବିଶେଷକରି ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ ଚିକିତ୍ସା ଏବଂ ମେଡିସିନ୍ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାମାନେ ଆବଶ୍ୟକ ଚିକିତ୍ସାରୁ ବଂଚିତ ହୋଇ ଜିଲ୍ଲା ହସ୍ପିଟାଲ ତଥା ବୁର୍ଲା ବଡ଼ ଡାକ୍ତରଖାନା କୁ ଯିବାକୁ ବାଧ୍ୟ ହେଉଛନ୍ତି। ପଦଯାତ୍ରା ଶେଷରେ ସଂଗଠନ ପକ୍ଷରୁ କୋଲାବିରା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ସିଏଚସି ରେ ଖାଲି ଥିବା ସମସ୍ତ ବିଶେଷଜ୍ଞ ଡାକ୍ତର,ଏଲ ଟି ଆର ଏମ ଓ ସୁପରିଟେଣ୍ଡେଂଟ, ବି ପି ଏଚ ଓ, ପଦବୀ ଏବଂ ପୋଖରାସାଲେ ଓ ବାଦୀମାଲ ପିଏଚସି ରେ ଫାର୍ମାସିଷ୍ଟ ନିଯୁକ୍ତି ସହ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ଼ କରିବାକୁ ଦାବି କରାଯାଇଛି।ଏହି ଆନ୍ଦୋଳନ ରେ ପରିଷଦର ସଭାପତି ଜିତେନ୍ଦ୍ରୀୟ ଧୁରୁଆ, ସାଧାରଣ ସମ୍ପାଦକ ସମ୍ବିତ ନାଏକ, କୋଷାଧ୍ୟକ୍ଷ ସୁଖ କିସାନଙ୍କ ସମେତ ଆଦିବାସୀ ନେତା ପ୍ରଭାକର ଓରାମ, ବିଜେଡି ଜିଲ୍ଲା ଉପସଭାପତି ତୁଲାରାମ ସେନାପତି, ପୁରୁଷୋତମ ନାଏକ, ରଘୁନାଥପାଲି ସରପଂଚ ରିକି ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ