
କେନ୍ଦ୍ରାପଡା29 ଅଗଷ୍ଟ (ହି.ସ.) ପବିତ୍ର ଗହ୍ମା ପୂର୍ଣ୍ଣିମାରେ କେନ୍ଦ୍ରାପଡ଼ା ଆରାଧ୍ୟ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ଜନ୍ମଦିନ ଅବସରରେ ଶ୍ରୀଶ୍ରୀ ସିଦ୍ଧବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବଳଦେବଜୀଉ ଯାତ୍ରୀ ନିବାସରେ ରସାବଳୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଜେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଜିଲାପାଳ ରଘୁରାମ ଆୟର ମୁଖ୍ୟ ବକ୍ତା, ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ, ପ୍ରାକ୍ତନ ରାଜସ୍ୱ ଆୟୁକ୍ତ ଡଃ. ଅଲେଖ ଚନ୍ଦ୍ର ପଢିହାରୀ, ପାଣିପାଗ ବିଜ୍ଞାନୀ ଡଃ. ଶରତ ଚନ୍ଦ୍ର ସାହୁ, ସୁପ୍ରିମ କୋର୍ଟର ବରିଷ୍ଠ ଆଇନ୍ଜୀବୀ ସଞ୍ଜିବ କୁମାର ମହାନ୍ତି, ବଳଦେବ ସଂସ୍କୃତି ଓ ଐତିହ୍ୟ ଗବେଷକ ଡ. ବଳରାମ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଳଦେବ ସଂସ୍କୃତି ଉପରେ ସବିଶେଷ ଆଲୋଚନା କରିଥିଲେ । ଶ୍ରୀବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳୀ କେଉଁ କାଳରୁ ମନ୍ଦିରରେ ଭୋଗ ଭାବେ ପ୍ରଚଳିତ ହୋଇ ଆସୁଅଛି । କେବଳ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ । ପୂର୍ବରୁ ଛେନାରେ ତିଆରି କ୍ଷିରୀମୋହନ ଏବେ ରସଗୋଲା ଭାବେ ଓଡ଼ିଶାରେ ପ୍ରସିଦ୍ଧିଲାଭ କରିଛି । ତେବେ ରସାବଳୀର ନିଆରା ସ୍ୱାଦ ଭକ୍ତ ତଥା ଜନସାଧାରଣଙ୍କୁ ଆକୃଷ୍ଟ କରିଥାଏ । ରସାବଳୀ ଭୋଗ ପାଇବା ପାଇଁ ଲୋକମାନେ ବ୍ୟାପୁଳ ହୋଇଥାନ୍ତି । ଗୁଆଘିଅ, କ୍ଷୀର ଛେନା, ଗୁଡ କିମ୍ବା ଚିନି ଦ୍ୱାରା ପ୍ରସ୍ତୁତ ରସାବଳୀ କେନ୍ଦ୍ରାପଡ଼ା ସହରର ସମସ୍ତ ମିଷ୍ଟାନ ଭଣ୍ଡାରରେ ମିଳିଥାଏ । ଏହାର ବ୍ୟାପକତା ସାରା ରାଜ୍ୟରେ ଥିବା ବେଳେ ସରକାରୀ ସ୍ତରରେ କାରିଗରମାନଙ୍କୁ ପ୍ରୋତ୍ସାହନ ଦିଆଗଲେ ଏହା ସୁଦୂର ପ୍ରସାରି ହୋଇପାରିବ ବୋଲି ଅତିଥିମାନେ କହିଥିଲେ । ପରିଷଦର ସଭାପତି ଶ୍ରୀ ମହାନ୍ତି କହିଲେ ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ରାଜ୍ୟ ତଥା କେନ୍ଦ୍ରାପଡ଼ା ଜିଲା ପାଇଁ ଗର୍ବର ବିଷୟ । ଏହାକୁ ଦେଶ ବିଦେଶରେ ପ୍ରସାର କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ସମ୍ପାଦକ ଉମାଶଙ୍କର ଜେନା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅଲେଖ ପଢିହାରୀ, ଡ. ଶରତ ଚନ୍ଦ୍ର ସାହୁ, ଡ. ହରିହର କାନୁନଗୋ, ଡ. ବଳରାମ ଲେଙ୍କାଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀବଳଦେବଜୀଉଙ୍କ ବିଗ୍ରହରେ ନୂତନ ବସ୍ତ୍ର ପରିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଜନ୍ମୋତ୍ସବ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ଜିଲା ସଭାପତି ଶରତ କୁମାର ବେହୁରା, ମହେନ୍ଦ୍ର ରାଉତ, ରାଜକିଶୋର ସାହୁ, ପ୍ରମୋଦ ନାୟକ, ସୁଜୟ ଦାସ, ସୁଜିତ ଦାସ, ଜନକୀବଲ୍ଲବ ସାମନ୍ତରାୟ, ଖଗେଶ୍ୱର ମଲ୍ଲିକ, ଦୁର୍ଗା ପ୍ରସାଦ ପତି, ଗୌତମ ମଲ୍ଲିକ, ଭାବଗ୍ରାହୀ ସାହୁ, ଦୁର୍ଗାଶିଷ ପତି, ଅକ୍ଷୟ ମେକାପ, ଆଶିଷ ମେକାପ, ଲୋକନାଥ ସାହୁ, ବିକ୍ରମ ସିଂ, ସବିତା ସାହୁ, ଉଦୟନାଥ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି