ସଂଗୀତ ବିଦ୍ୟାଳୟ ଦ୍ୱାରା ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ଜିଲ୍ଲା ସଂସ୍କୃତି ଭବନରେ ଅର୍ଣ୍ଣପାଳସ୍ଥ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଂଗୀତ ବିଦ୍ୟାଳୟର ସଭାପତି କୃଷିକବି
SANGITA VIDYALAYA GANGADHAR MEHER JAYANTI


ଭଦ୍ରକ, ୨୯ ଅଗଷ୍ଟ (ହି.ସ.) - ଜିଲ୍ଲା ସଂସ୍କୃତି ଭବନରେ ଅର୍ଣ୍ଣପାଳସ୍ଥ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଂଗୀତ ବିଦ୍ୟାଳୟର ସଭାପତି କୃଷିକବି ଅରୁଣ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ ସାରଦା ପ୍ରସାଦ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୁଳମଣି ବାରିକ୍ ମୁଖ୍ୟବକ୍ତା ଭାବେ ବାଣୀକବି ଓ ବାଗ୍ମୀ ଦୟାନିଧି ମିଶ୍ର, ସମ୍ମାନିତ ଅତିଥିଭାବେ ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ, ଗୀତିକାର ଓ ସାହିତ୍ୟ ସଂଗଠକ ଅଭୟ ସୂତାର, ପ୍ରାଧ୍ୟାପକ ଡକ୍ଟର ରମାକାନ୍ତ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅତିଥିମାନେ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ପ୍ରକୃତି ବର୍ଣ୍ଣନା,ଜୀବନବୋଧ, ନାରୀ ଚରିତ୍ର ଓ କୃଷି ସମ୍ପର୍କିତ ଆଲୋଚନା କରି ମେହେର ସାହିତ୍ୟର ବ୍ୟାପକ ଦିଗ ଉପରେ ଆଲୋକପାତ କରିଥିଲେ । ସଂଯୋଜକ କଳାକାର କାଳନ୍ଦୀ ମଲ୍ଲିକ ପ୍ରଥମେ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସଂଗୀତ ବିଦ୍ୟାଳୟର କୋଷାଧ୍ୟକ୍ଷ ମନୋଜ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକ ଜଗନ୍ନାଥ କର କାର୍ଯ୍ୟକ୍ରମର ଆଭିମୁଖ୍ୟ ସହିତ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମନୋରମା ନାୟକଙ୍କ ରଚିତ ପୁସ୍ତକ “ମମତାମୟୀ ମୋ ବୋଉ” ଲୋକାର୍ପିତ ହୋଇଥିଲା । ଏହି ଉତ୍ସବରେ ସାରସ୍ୱତ ସାଧିକା ତିଳୋତମା ନାୟକ, ମନୋରମା ନାୟକ ଓ ୫୮ଥର ରକ୍ତଦାନ କରିଥିବା ଶିକ୍ଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ୧୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ମେହେରଙ୍କ ରଚିତ ଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରପତି ଭାବରେ ସଂଗୀତ ବିଷାରଦ ବିଭୂତି ଭୂଷଣ ପଣ୍ଡା, ରାମନାରାୟଣ ପଣ୍ଡା ଓ ସୁକୁମାର ପାଣିଗ୍ରାହୀ ମୂଲ୍ୟାୟନ କରି କୃତୀ ପ୍ରତିଯୋଗୀଙ୍କୁ ନିର୍ଣ୍ଣୟ କରିଥିଲେ । ଅପରାହ୍ନ କାର୍ଯ୍ୟକ୍ରମରେ ଏହି କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଂଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଓ ମେହେରଙ୍କ ରଚିତ ଗୀତ ଗାନ କରିଥିଲେ । ‘ମନ୍ଦିରା ଡ଼୍ୟାନ୍ସ ଗ୍ରୁପ’ର ବିଦ୍ୟାର୍ଥୀମାନେ ନୃତ୍ୟଗୁରୁ ଶ୍ୱେତପଦ୍ମା ଦାସ ବେହେରା ପରିଚାଳନାରେ ମେହେରଙ୍କ ଗୀତ ଉପରେ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅନୁଷ୍ଠାନର ସଦସ୍ୟ ଦୀପକ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଦସ୍ୟ ରମେଶ କୁମାର ବିଶ୍ୱାଳ, ପ୍ରଶାନ୍ତ ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande