ଛାତ୍ର ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ, ଭୟରେ ଛାତ୍ରଛାତ୍ରୀ; ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ
ଜୟପୁର, ୨୯ ଅଗଷ୍ଟ (ହି.ସ.)- ଗତ ବୁଧବାର ବୋରିଗୁମ୍ମା ବ୍ଲକ ଗୁମୁଡ଼ା ଏସ୍ଏସଡି ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁନାଥ ମୁଦୁଲିଙ୍କ ମୃତଦେହ ବିଦ୍ୟାଳୟ ପଛପଟ ନାଳରୁ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ବିଦ୍ୟାଳୟ ପରିଚାଳନାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଘଟଣାର ପ୍ରାଥମିକ ତଦନ୍ତ ପର
ଛାତ୍ର ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ, ଭୟରେ ଛାତ୍ରଛାତ୍ରୀ; ଭାରପ୍ରାପ୍ତ ଶିକ୍ଷକ ସସପେଣ୍ଡ


ଜୟପୁର, ୨୯ ଅଗଷ୍ଟ (ହି.ସ.)- ଗତ ବୁଧବାର ବୋରିଗୁମ୍ମା ବ୍ଲକ ଗୁମୁଡ଼ା ଏସ୍ଏସଡି ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁନାଥ ମୁଦୁଲିଙ୍କ ମୃତଦେହ ବିଦ୍ୟାଳୟ ପଛପଟ ନାଳରୁ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ବିଦ୍ୟାଳୟ ପରିଚାଳନାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଘଟଣାର ପ୍ରାଥମିକ ତଦନ୍ତ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରତି ଅଣଦେଖା ଅଭିଯୋଗରେ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ମନୋଜ କୁମାର ଖଣ୍ଡାୟତ ରାୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ସୂଚନା ଦେଇ କହିଛନ୍ତି, ପ୍ରାଥମିକ ତଦନ୍ତରେ ଛାତ୍ରଛାତ୍ରୀଙ୍କ ପ୍ରତି ଅଣଦେଖା ନେଇ ଭାରପ୍ରାପ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଜଣାଯାଇଛି।ଘଟଣା ପରେ ଏବେ ବିଦ୍ୟାଳୟରେ ଦେଖାଦେଇଛି ଭୟର ବାତାବରଣ। ରାକ୍ଷୀ ପାଇଁ ଗତକାଲି ଛୁଟି ଥିବା ବେଳେ ଆଜି ସକାଳୁ ହଷ୍ଟେଲରେ ରହି ପାଠ ପଢୁଥିବା ପିଲାଙ୍କୁ ଦେଖିବା ଓ ଘରକୁ ନେବା ପାଇଁ ଦୂରଦୂରାନ୍ତ ଗାଁରୁ ଅଭିଭାବକମାନେ ବିଦ୍ୟାଳୟ ମୁହାଁ ହୋଇଛନ୍ତି। କେହି ପିଲାଙ୍କୁ ଦେଖିବା ପାଇଁ ଆସିଥିବା କହୁଥିବା ବେଳେ, ଆଉ କେହି କିଛି ଦିନ ପାଇଁ ପିଲାଙ୍କୁ ଘରକୁ ନେଇଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଛାତ୍ର ମୃତ୍ୟୁ ଘଟଣା ପରେ ହଷ୍ଟେଲରେ ପିଲାଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ମନରେ ବଢ଼ିଛି ଆଶଙ୍କା। ପରିସ୍ଥିତି ଶାନ୍ତ ହେବା ପରେ ପିଲାଙ୍କୁ ପୁଣି ବିଦ୍ୟାଳୟକୁ ଛାଡ଼ିବେ ବୋଲି କେତେକ ଅଭିଭାବକ କହିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟରେ ପହଞ୍ଚିଛି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ୩ ଜଣିଆ ଟିମ୍। ଅଧ୍ୟକ୍ଷା ଡ. ଗାୟତ୍ରୀ ଦେବୀଙ୍କ ନେତୃତ୍ୱରେ ଟିମ୍ ବିଦ୍ୟାଳୟରେ ପହଞ୍ଚି ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରିଛି। କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ଘଟିଲା, ତାହାର ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯିବ। ଏହାସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଚେତନ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷା l ଡ. ଗାୟତ୍ରୀ ଦେବୀ, ଅଧ୍ୟକ୍ଷା, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଗୋଟିଏ ଛାତ୍ରର ମୃତ୍ୟୁ ପରେ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ନେଇ ଏବେ ଅଭିଭାବକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ। ଅଧିକ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଦାୟୀ କିଏ, ତାହା ସ୍ପଷ୍ଟ ହେବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande