
ଝାରସୁଗୁଡ଼ା ୨୯ ଅଗଷ୍ଟ (ହି.ସ.)ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ହକିର କିମ୍ବଦନ୍ତୀ ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଅସାଧାରଣ ଅବଦାନକୁ ସ୍ମରଣ କରି ତାଙ୍କ ଜୟନ୍ତୀ ପାଳନ ସହ ଝାରସୁଗୁଡ଼ା ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ପ୍ରତିନିଧିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସରବାହାଲ ଶାଖାର ଶାଖା ପ୍ରବନ୍ଧକ ଆଲୋକ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦାନପୂର୍ବକ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଧ୍ୟାନଚାନ୍ଦଙ୍କ ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଆଜି ପ୍ରତ୍ୟେକ ଉଦୀୟମାନ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ବିରାଟ ଉତ୍ସ ବୋଲି ଉଲ୍ଲେଖ କରିବା ସହ କ୍ରୀଡ଼ା ଦିବସ ଆମ ଦେଶର ଅଗଣିତ କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ କ୍ରୀଡ଼ା ଜଗତ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କ ଅସାଧାରଣ ନିଷ୍ଠା ଓ ଅସୀମ ସାଧନାକୁ ଗୌରବାନ୍ଵିତ କରିବାର ଉତ୍ସବ ବୋଲି ଭାବବ୍ୟକ୍ତ କରିଥିଲେ । ଶିକ୍ଷକ ଅଲେଖ ବିହାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଖେଳ ଶିକ୍ଷକ ବିଜୟ ଦାଶ ଓ ଶିକ୍ଷୟିତ୍ରୀ ପୁନମ ଛାତ୍ରଛାତ୍ରୀମାନଙ୍କୁ ଦୈନନ୍ଦିନ ଜୀବନରେ ଖେଳ କସରତର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ବିଦ୍ୟାଳୟର ପ୍ରତିଭାବାନ ଖେଳାଳିମାନେ ପ୍ରଦର୍ଶନୀ ଢଙ୍ଗରେ ସମସ୍ତଙ୍କୁ ଦୈନିକ ଖେଳ କସରତ ତଥା ଶାରୀରିକ ସୁସ୍ଥତାର ବାର୍ତ୍ତା ଦେଇଥିଲେ । ସମସ୍ତେ ଜାତୀୟ କ୍ରୀଡ଼ା ଦିବସର ବାର୍ତ୍ତା 'ଖେଳିବ ଭାରତ, ଜିତିବ ଭାରତ' ମନ୍ତ୍ର ରେ ଦୀକ୍ଷିତ ହୋଇ କ୍ରୀଡ଼ାକୁ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମାନିବାର ସଂକଳ୍ପ ନେଇଥିଲେ । ପରିଶେଷରେ ବରରୁଚି, ଭବଭୂତି, ଧନ୍ଵନ୍ତରୀ ଓ ପତଞ୍ଜଳି ହାଉସର ଛାତ୍ରଛାତ୍ରୀମାନଙ୍କଦ୍ୱରା ବନ୍ଧୁତ୍ୱପୂର୍ଣ୍ଣ ଖୋ-ଖୋ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ