

ଜୟପୁର, ୨୯ ଅଗଷ୍ଟ (ହି.ସ.)- ସ୍ୱାଧୀନତାର ୮୦ ବର୍ଷ ପାର ହୋଇଗଲା…କିନ୍ତୁ ଆଜି ବି ଦୁଆରଶୁଣି ଗାଁ ଦୁଆରେ ପହଞ୍ଚି ପାରିନି ବିକାଶ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଓ ଦସମନ୍ତପୁର ବ୍ଲକ ସୀମାନ୍ତରେ ଥିବା ଏହି ଗାଁର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆଜି ବି ଏକ ସ୍ୱପ୍ନ। ପଞ୍ଚାୟତରେ ୧୦ରୁ ଅଧିକ ଉପାନ୍ତ ଗାଁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନି ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର।ଅସୁସ୍ଥ ହେଲେ ଭରସା କାଠରଗଡା କିମ୍ବା କୁମୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ଗୁରୁତର ହେଲେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଗାଁରେ ନିର୍ମାଣ ହୋଇଛି ଏକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ହେଲେ ଗାଁ ଲୋକଙ୍କ ଅଭିଯୋଗ—ଉଦ୍ଘାଟନ ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ବି ଖୋଲିନି କେନ୍ଦ୍ର। ଘର ଅଛି…କିନ୍ତୁ ନାହାନ୍ତି ଡାକ୍ତର, ନାହିଁ ଚିକିତ୍ସା, ନାହିଁ ଔଷଧ। ବନ୍ଦ ଘର ଭିତରେ ପଡ଼ିଥିବା ଆସବାବପତ୍ର ବି ଏବେ ନଷ୍ଟ ହେବାକୁ ବସିଲାଣି। ଯେଉଁ କେନ୍ଦ୍ର ଉପାନ୍ତ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦେବା କଥା, ସେହି କେନ୍ଦ୍ର ନିଜେ ଆଜି ଅସୁସ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ… ଯାତାୟାତ ବି ଏଠାକାର ଲୋକଙ୍କ ପାଇଁ ବଡ଼ ସମସ୍ୟା। ଦୁଆରଶୁଣିରୁ କାଠରଗଡା ହାଟକୁ ଯିବା ପାଇଁ ରହିଛି ଏକ କାଠପୋଲ। ଏହି ରାସ୍ତା ଦେଇ ଗଲେ କାଠରଗଡା ମାତ୍ର ଏକ କିଲୋମିଟର। କିନ୍ତୁ ବର୍ଷା ଆସିଲେ ସବୁ କିଛି ବଦଳିଯାଏ। ପାଣି ଆସିଲେ ଏହି ରାସ୍ତା ବନ୍ଦ। ତା’ପରେ ଏକ କିଲୋମିଟରର ରାସ୍ତା ପାଇଁ ଲୋକଙ୍କୁ ପ୍ରାୟ ପ୍ରାୟ ୧୦ ରୁ ୧୫ କିଲୋମିଟର ବୁଲିବାକୁ ପଡ଼େ। ଏହି କାଠପୋଲ ସ୍ଥାନରେ ବ୍ରିଜ୍ ନିର୍ମାଣ ପାଇଁ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ଅନେକଥର ଦାବି ହୋଇଛି। ହେଲେ ଦାବି ଆଜି ବି ଦାବି ହୋଇ ରହିଛି। ଏହି ଗାଁର ଲୋକଙ୍କ ଜୀବନରେ ବିକାଶର ଚିତ୍ର ଯେମିତି ଅଧୁରା… ସେମିତି ଅଧୁରା ରହିଛି ଯାତାୟାତର ସ୍ୱପ୍ନ। ଆଉ ଏହି ଅଧୁରା ସ୍ୱପ୍ନର ସାକ୍ଷୀ ହୋଇ ଛିଡ଼ା ହୋଇଛି ସେହି କାଠପୋଲ l ଯାହା ତଳେ ବହୁଛି ମୁରାନ ନଦୀ। ବର୍ଷା ଆସିଲେ ମୁରାନ ନଦୀର ପାଣି ବଢ଼େ… ଆଉ ପାଣି ସହିତ ବଢ଼ିଯାଏ ଦୁଆରଶୁଣି ଲୋକଙ୍କ ଚିନ୍ତା। କେହି ହାଟକୁ ଯାଇପାରନ୍ତି ନାହିଁ। କେହି ରୋଗୀଙ୍କୁ ନେଇ ହସ୍ପିଟାଲ ଯାଇପାରନ୍ତି ନାହିଁ l ଆଉ କେହି ଜୀବନକୁ ବାଜି ଲଗାଇ ସେହି କାଠପୋଲ ପାର ହୁଅନ୍ତି। ୮୦ ବର୍ଷର ସ୍ୱାଧୀନତା ପରେ ବି ଦୁଆରଶୁଣି ଗାଁ ଅପେକ୍ଷା କରିଛି l ଗୋଟିଏ ଖୋଲା ସ୍ୱାସ୍ଥ୍ୟକେନ୍ଦ୍ର, ପକ୍କା ବ୍ରିଜ୍ ସହ ନିଜ ଗାଁ ଦୁଆରେ ବିକାଶ ପହଞ୍ଚିବା ପାଇଁ ବାର ବାର ଦାବି କରିଛନ୍ତି ଉପାନ୍ତ ଗ୍ରାମବାସୀ lକେବେ ଏହି ଅପେକ୍ଷାର ଅନ୍ତ ହେବ… କେବେ ମୁରାନ ନଦୀ ଉପରେ ତିଆରି ହେବ ବ୍ରିଜ୍… ଆଉ କେବେ ଖୋଲିବ ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ l ତୁରନ୍ତ ପ୍ରଶାସନ ଗ୍ରାମରେ ପହଁଚି ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି