
ଜୟପୁର, ୨୯ ଅଗଷ୍ଟ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରରେ ଅଧ୍ୟାପକମାନଙ୍କ ଶିକ୍ଷାଦାନ ଓ ଗବେଷଣାମୂଳକ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଚତୁର୍ଥ ସାପ୍ତାହିକ ଏକାଡେମିକ୍ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି। କୁଳପତିଙ୍କ ନିଷ୍ପତ୍ତି ଅନୁଯାୟୀ ୨୮ ଅଗଷ୍ଟ ୨୦୨୬, ଶୁକ୍ରବାର ଅପରାହ୍ଣ ୪ଟା ୧୫ ମିନିଟ୍ ରେ ବିଶ୍ୱବିଦ୍ୟାଳୟର ଏଲ-୨ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଶଦ ଓ ଗବେଷଣାଭିତ୍ତିକ ଆଲୋଚନା ପ୍ରଦାନ କରିଥିଲେ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ଡ. ରାମ ଶଙ୍କର ସାହୁ।
ଡ. ସାହୁ ତାଙ୍କ ଆଲୋଚନାରେ ସିଷ୍ଟମାଟିକ୍ ରିଭ୍ୟୁ ଅଫ୍ ଲିଟରେଚରର ଧାରଣା, ଏହାର ଗବେଷଣାରେ ଗୁରୁତ୍ୱ, ସାହିତ୍ୟ ସମୀକ୍ଷା ପାଇଁ ଉପଯୁକ୍ତ ପଦ୍ଧତି, ତଥ୍ୟ ଚୟନ ଓ ବିଶ୍ଳେଷଣ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ସିଷ୍ଟମାଟିକ୍ ରିଭ୍ୟୁ ପ୍ରସ୍ତୁତି ସମୟରେ କରିବାକୁ ଥିବା ଓ ଏଡ଼ାଇବାକୁ ଥିବା ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ସେ ଅଧ୍ୟାପକମାନଙ୍କୁ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇ ଗବେଷଣା ପଦ୍ଧତି ଓ ସିଷ୍ଟମାଟିକ୍ ଲିଟରେଚର୍ ରିଭ୍ୟୁ ସମ୍ପର୍କରେ ଉପଯୋଗୀ ଜ୍ଞାନ ଆହରଣ କରିଥିଲେ। ଏହି ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଅଧ୍ୟାପକମାନଙ୍କ ଗବେଷଣାମୂଳକ ଦକ୍ଷତା ବୃଦ୍ଧି ସହିତ ଉଚ୍ଚମାନର ଗବେଷଣା ପ୍ରକାଶନ ପାଇଁ ଏକ ଉପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଏପରି ନିୟମିତ ଏକାଡେମିକ୍ ବିକାଶମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜଣାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି