
ଜୟପୁର, ୨୯ ଅଗଷ୍ଟ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ପ୍ୟାନେଲ ଓକିଲ ମାନଙ୍କ ସକାଶେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଅଛି । ଆଇନ ସେବା ପ୍ରାଧିକରଣ କାର୍ଯ୍ୟଳୟ ସ୍ଥିତ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭା ଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହନ୍ତ ଆନୁଷ୍ଠାନିକ ଭାବେ ଉଦ୍ଘଘାଟନ କରି ଜୟପୁର, କୋରାପୁଟ, କୋଟପାଡ, ବୋରିଗୁମ୍ମା, ଲକ୍ଷ୍ମୀପୁର, ଦସମନ୍ତପୁର ଓ ସେମିଳିଗୁଡାରୁ ଆସିଥିବା ପ୍ୟାନେଲ ଓକିଲ ବୃନ୍ଦଙ୍କୁ ସ୍ବାଗତ କରିବା ସହ ଏହି ପ୍ରଶିକ୍ଷଣ ଶିବିର ଓ ଆଇନ ସେବା ଉପରେ ଆଲୋକପାତ କରିଥିଲେ। ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା ଉପସ୍ଥିତ ପ୍ୟାନେଲ ଓକିଲ ବୃନ୍ଦ ତଥା ପ୍ରଶିକ୍ଷଣ ଦାତାଙ୍କ ପରିଚୟ ପ୍ରଦାନ କରି ଆଇନ ସେବା ପ୍ରାଧିକରଣ ନିୟମାବଳି, ପ୍ୟାନେଲ ଓକିଲଙ୍କ ଭୂମିକା ଏବଂ ଦାୟିତ୍ୱ - ପ୍ୟାନେଲ ଓକିଲ ତାଙ୍କ ଦାୟିତ୍ବ ସମ୍ପାଦନ କରିବା ବେଳେ କ'ଣ କରିବେ ଏବଂ କ'ଣ କରିବେ ନାହିଁ, ନିଜ ମୋହକିଲଙ୍କ ସହିତ ଯୋଗାଯୋଗ ଏବଂ ପରାମର୍ଶ ଭଳି ବିଭିନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଜୟପୁର ବରିଷ୍ଠ ବିଭାଗ ଦେବାନୀ ବିଚାରପତି ଶ୍ରୀ ସ୍ଵୟଂ ପ୍ରକାଶ ଦାସ ପ୍ରଶିକ୍ଷଣ ଦାତା ଭାବେ ଉପସ୍ଥିତ ରହି ସିଭିଲ୍ ଆଇନ ସମ୍ପର୍କିତ ମୌଳିକ ଜ୍ଞାନ, ଅନ୍ତରୀଣ ଆଦେଶ, ଓକିଲ ଦକ୍ଷତା-ସିଭିଲ୍ ଡ୍ରାଫ୍ଟ,,ସାକ୍ଷୀଙ୍କ ପରୀକ୍ଷା ଏବଂ ଯୁକ୍ତି ଉପରେ ଆଲୋକପାତ କରିଥିଲେ। ସେହିପରି ଜୟପୁର ସିଭିଲ କୋର୍ଟ ରେଜିସଷ୍ଟ୍ରାର ଶ୍ରୀମତୀ ମଧୁସ୍ମିତା ଜେନା ଉପସ୍ଥିତ ରହି ପ୍ୟାନେଲ ଓକିଲ ଙ୍କୁ ଆଇନ ସେବା ଓ ପ୍ୟାନେଲ ଓକିଲ ଙ୍କ ଭୂମିକା ସମ୍ପର୍କ ରେ ଉତ୍ସାହିତ କରିଥିଲେ। ଅନ୍ୟ ଏକ ପ୍ରଶିକ୍ଷଣ ଦାତା ଭାବେ ଜିଲ୍ଲା ଏବଂ ଦୌରା ଜଜ୍ କୋର୍ଟ, ଜୟପୁର ର କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ଶ୍ରୀ ମହେନ୍ଦ୍ର କୁମାର ନାଗ ଫୌଜଦାରୀ ଆଇନ ସମ୍ପର୍କିତ ମୌଳିକ ଜ୍ଞାନ, ଗିରଫ ବ୍ୟକ୍ତିଙ୍କ ଅଧିକାର, ଜାମିନ, ଆବେଦନର ବିଚାର, ଫୌଜଦାରୀ ଆଇନର ଖସଡ଼ା, ସାକ୍ଷୀଙ୍କ ପରୀକ୍ଷା, ଯୁକ୍ତି ଓ ଭାରତୀୟ ନ୍ୟାୟ ସଂହିତାର ଧାରା ସମ୍ବନ୍ଧରେ ଧାରଣା ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଜୟପୁର ତଥା ତାଲୁକ ଆଇନ ସେବା କମିଟି କୋରାପୁଟ, କୋଟପାଡ,ବୋରିଗୁମ୍ମା ,ଲକ୍ଷ୍ମୀପୁର,ଦସମନ୍ତପୁର ଓ ସେମିଳିଗୁଡା ର ତାଲିକାଭୁକ୍ତ ପ୍ୟାନେଲ ଓକିଲ, ଆଇନ ସହାୟତା ପ୍ରତିରକ୍ଷା ପରାମର୍ଶଦାତା ଆଇନଜୀବୀ, ଆଇନ ସେବା ପ୍ରାଧୀକରଣ ତଥା ଜିଲ୍ଲା କୋର୍ଟ ନିଜାରତ କର୍ମକର୍ତା ବୃନ୍ଦ ଏବଂ ସ୍ଵେଚ୍ଛାସେବି ପ୍ରମୁଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପାଦନରେ ସମ୍ପୂର୍ଣ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି