



ସମ୍ବଲପୁର, ୩୦ ଅଗଷ୍ଟ (ହି.ସ.)- ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଏସୋସିଏସନ ଦ୍ୱାରା ତଥା ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ସହଯୋଗରେ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ଲେବେଲ -୩ ଟୁର୍ନାମେଣ୍ଟ ସମ୍ବଲପୁର ଶନିବାର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡ଼ମିଣ୍ଟନ ହଲ ଠାରେ ଉଦଯାପିତ ହୋଇଯାଇଛି l ଏହି ଅବସରରେ ସମ୍ବଲପୁର କ୍ରୀଡା ସଂଗଠକ ଜଗବନ୍ଧୁ ବେହେରା, ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଡାକ୍ତର ହୃଦାନନ୍ଦ ନାଏକ, ଓଏସବିଏ ର ଟୁର୍ନାମେଣ୍ଟ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ, ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ସଦସ୍ୟ କ୍ଷୀରୋଦ କିଷାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ଶନିବାର ପୂର୍ବାହ୍ନରେ ଆୟୋଜିତ କ୍ରୀଡା ଦିବସ ଉତ୍ସବ ପାଳନ ଅବସରରେ କ୍ରୀଡ଼ାବିତ ସୂର୍ଯ୍ୟ ପାଣିଗ୍ରାହୀ ଓ ଓଏସବିଏ ର ଲକ୍ଷପତି ନନ୍ଦ ହକିର ଯାଦୁଗର ତଥା ଦେଶର ଗର୍ବ ମେଜର ଧ୍ୟାନ ଚାନ୍ଦଙ୍କର ଫୋଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ କ୍ରୀଡା ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ l ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, କ୍ରୀଡା ହିଁ ଏକ ମାଧ୍ୟମ ଯାହାକି ମଣିଷକୁ ସୁସ୍ଥ ଓ ନିରୋଗ ରଖିବା ସହିତ ଶୃଙ୍ଖଳିତ ଜୀବନ ପାଇଁ ପ୍ରେରଣା ଯୋଗାଇଥାଏ l
ପ୍ରତିଯୋଗିତାର ଦ୍ଵିତୀୟ ଦିନରେ ବାଳକ ଓ ବାଳିକା ବିଭାଗରେ ୧୩ ବର୍ଷରୁ କମ, ୧୫ ବର୍ଷରୁ କମ ଓ ୧୭ ବର୍ଷରୁ କମ ସିଙ୍ଗିଲ୍ସ ର କ୍ଵାଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ନାମେଣ୍ଟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ହୀରାକୁଦ, ରେଢ଼ାଖୋଲ, ବୁର୍ଲା ଓ ସମ୍ବଲପୁରର ୧୨୮ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ l
ସୂଚନାଯୋଗ୍ୟ ଯେ, ଏହି ୨ ଦିନ ବ୍ୟାପି ଲେବେଲ -୩ ର ଟୁର୍ନାମେଣ୍ଟ ଓଡିଶାର ସମସ୍ତ ଜିଲ୍ଲାରେ ଆୟୋଜିତ ହେଉଛି ଓ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l
କ୍ରୀଡ଼ାବିତ ସୂର୍ଯ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇ କ୍ରୀଡା ସଂଗଠକ ଶ୍ରୀ ବେହେରା ବ୍ୟାଡ଼ମିଣ୍ଟନ ପ୍ରତି ଦିନକୁ ଦିନ ଆଗ୍ରହ ବଢୁଛି ଯାହାକି ଏକ ଶୁଭ ସଙ୍କେତ l ଅବିଭାବକ ମାନେ କୁନି କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହିତ କରୁଥିବା ଖୁସିର ବିଷୟ ବୋଲି କହିଥିଲେ l
ଜିଲ୍ଲା ସଂଘର ସଭାପତି ଡାକ୍ତର ନାଏକ କ୍ରୀଡା ହିଁ ଏକ ଉତ୍କୃଷ୍ଟ ମାଧ୍ୟମ ଯାହାକି ଜୀବନକୁ ସ୍ୱାସ୍ଥ୍ୟବାନ କରି ରଖିଥାଏ ବୋଲି କହିଥିଲେ l
ଶେଷରେ ଟୁର୍ନାମେଣ୍ଟର ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା l ୧୩ ବର୍ଷରୁ କମ ବର୍ଗରେ, ବାଳିକା ବିଭାଗରେ ବିଜେତା : ଦେବସ୍ମିତା ବେହେରା, ଉପବିଜେତା : ସମ୍ୱନ୍ୱିତ ଶ୍ରଦ୍ଧା ଦାସ, ବାଳକ ବିଭାଗ ରେ ବିଜେତା : ଶେଖ ମହମ୍ମଦ, ଉପବିଜେତା : ଅଭିଜିତ ହରିଚନ୍ଦନ l ୧୫ ବର୍ଷରୁ କମ ବର୍ଗରେ, ବାଳିକା ବିଭାଗରେ ବିଜେତା : ଐଶ୍ଵର୍ଯ୍ୟ ହୋତା, ଉପବିଜେତା : ପ୍ରାପ୍ତି ଦାସ, ବାଳକ ବିଭାଗରେ ବିଜେତା : ମହମ୍ମଦ ତୌସିଫ, ଉପବିଜେତା : ଦିବ୍ୟାଂଶ ଦର୍ଶନ ମେହେର l ୧୭ ବର୍ଷରୁ କମ ବର୍ଗରେ, ବାଳିକା ବିଭାଗରେ ବିଜେତା : ତେଜସ୍ୱିନୀ ସିଂ, ଉପବିଜେତା : ଜଷ୍ମାନ କୌର, ବାଳକ ବିଭାଗରେ ବିଜେତା : ଆଶୁତୋଷ ମେହେର, ଉପବିଜେତା : ରିତେଶ କୁମାର ସାହୁ ଳ
ଏହି ଟୁର୍ନାମେଣ୍ଟ ପରିଚାଳନାରେ ବବୁଲୁ ସାହୁ, ମଣି ବେଜି, ରାଇମନ ବେହେରା, ଶଶାଙ୍କ ଜେନା, ସୌରଭ ମହାପାତ୍ର, ଈଶ୍ୱର ଚନ୍ଦ୍ର ପ୍ରଧାନ, ନବଗତ ମହାପାତ୍ର, ସୌରଭ ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଶୈଳେଶ