
ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ମାଲକାନଗିରି ଥାନା ଅଧୀନ ଝାଟିଗୁଡ଼ା ଗ୍ରାମ ଜଙ୍ଗଲ ଅଞ୍ଚଳରେ ଆଜି ଅବକାରୀ ଟିମ୍ ଚଢ଼ଉ କରି ଜଙ୍ଗଲର ଏକ ବୁଦା ନିକଟରେ ଲୁଚାଯାଇଥିବା ୮ଟି ଜରି ବ୍ୟାଗରୁ ସମୁଦାୟ ୨୦୩ କେଜି ଗଞ୍ଜେଇ ଉଦ୍ଧାର କରିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଚଢ଼ଉ ସମୟରେ ଘଟଣାସ୍ଥଳରେ କୌଣସି ଅଭିଯୁକ୍ତ ଉପସ୍ଥିତ ନଥିବାରୁ, ଅବକାରୀ ବିଭାଗ ପକ୍ଷରୁ ଏନ ଡି ପି ଏସ ଆକ୍ଟ , ୧୯୮୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏହି ଗଞ୍ଜେଇ କାହାର ଓ କେଉଁଠାକୁ ଚୋରାଚାଲାଣ କରାଯାଉଥିଲା, ସେ ନେଇ ତଦନ୍ତ ଜାରି ରହିଛି।
ଏହି ଚଢ଼ଉରେ ଅବକାରୀ ଏସ୍.ଆଇ. ତେଜରାଜ ଗହୀର, ଏ.ଏସ୍.ଆଇ. ରାମଚନ୍ଦ୍ର ହନ୍ତାଳ, କନଷ୍ଟେବଳ ବିପୁଲ ଶେଖର ଯୋଧାର, ଜୁଲି ସା ଏବଂ ପବିତ୍ର ଭତ୍ରା ପ୍ରମୁଖ ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ