
ଜୟପୁର,, 31 ଅଗଷ୍ଟ (ହି.ସ.)ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜୟପୁର ଟାଉନ ପୋଲିସ ପକ୍ଷରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ସୋମବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ଏସ୍ଡିପିଓଙ୍କ ତତ୍ତ୍ୱାବଧାନରେ ଆମ ପୋଲିସ ସମିତି ଓ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଯୋଗଦେଇ କହିଥିଲେ ଯେ, ଯୁବସମାଜ ଓ ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ। ନିଶାମୁକ୍ତ ସମାଜ ଗଠନ କେବଳ ପୁଲିସ କିମ୍ବା ସରକାରଙ୍କ ଉଦ୍ୟମରେ ସମ୍ଭବ ନୁହେଁ। ଏଥିପାଇଁ ଯୁବ ଓ ଛାତ୍ରସମାଜର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ନିଶାର କୁପ୍ରଭାବ, ସାଇବର ଅପରାଧ ଏବଂ ନିଶାଠାରୁ କିପରି ଦୂରେଇ ରହିହେବ ସେ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ନିଜେ ନିଶାଠାରୁ ଦୂରେଇ ରହିବା ସହ ପରିବାର, ବନ୍ଧୁ ଓ ସାଙ୍ଗସାଥୀଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିକ୍ରମଦେବ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ଡ. ଲକ୍ଷ୍ମଣ ପାତ୍ର, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦୁଷ୍ମନ୍ତ କୁମାର ନାୟକ, ରସାୟନ ବିଜ୍ଞାନ ଅଧ୍ୟାପିକା ମାନସୀ ମହାପାତ୍ରଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି