
ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା ସମର୍ପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶୋକ ପରିଡ଼ାଙ୍କ ନେତୃତ୍ଵରେ ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ଜିଲ୍ଲା ପ୍ରଭାରୀ ରମେଶ ସାହୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
୧୭ ସେପ୍ଟମ୍ବେରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ଦୀର୍ଘ ଯାତ୍ରାକୁ ଦଳ ପକ୍ଷରୁ ସଫଳ କରିବା ପାଇଁ ପ୍ରତ୍ୟେକ ବୁଥ ସ୍ତରରୁ ଲାଭାର୍ଥିଙ୍କ ଘରେ ଗୋଟିଏ ଗୋଟିଏ ପ୍ରଦୀପ ପ୍ରଜ୍ବଳନ କରି ଏହା ର ଶୁଭାରମ୍ଭ କରିବା ସହ ଭାଜପା ଶାସନ କାଳରୁ ହୋଇଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟ ଗୁଡ଼ିକ ବିଭିନ୍ନ ସ୍କୁଲ, ହାଇସ୍କୁଲ ଓ କଲେଜ ଗୁଡିକରେ ଚିତ୍ରାଙ୍କନ, ବତ୍କୃତା ପ୍ରତିଯୋଗିତା ମାଧ୍ୟମରେ ସ୍ୱପ୍ନର ଭାରତର ବିବରଣୀକୁ ବର୍ଣ୍ଣନା କରିବାକୁ ଆହ୍ୱାନ କରାଯାଇଛି । ଏହା ଛଡା ପଥପ୍ରାନ୍ତ ନାଟକ ମାଧ୍ୟମରେ ମହିଳାଙ୍କ ସମ୍ମାନ ପାଇଁ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଦିଆଯାଇଥିବା ମାଗଣା ଗ୍ୟାସ, ଶୌଚାଳୟ ଓ ମାଗଣା ରାସନ, ଆୟୁଷ୍ମାନ ଯୋଜନା କିଭଳି ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ କରିଛି ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ । ସେହିପରି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ମା ଓ ଶିଶୁ ପାଇଁ ହେଉଥିବା ଉତ୍ତମ ଯୋଜନା ଗୁଡ଼ିକ ଦ୍ୱାରା ଶିଶୁ ଓ ମାଆଙ୍କ ଶାରୀରିକ ଅଭିବୃଦ୍ଧି ଓ ଶିଶୁଙ୍କ ମାନସିକ ଅଭିବୃଦ୍ଧି ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇ ରହିଛି । ଉକ୍ତ କାର୍ଯ୍ୟକ୍ରମ ଗୁଡିକ ସଚେତନତା ରିଲ୍ସ ମାଧ୍ୟମରେ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଆହ୍ୱାନ ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପାର ବରିଷ୍ଠ କର୍ମକର୍ତ୍ତା ନିଜନିଜର ମତାମତ ପ୍ରଦାନ ସହ ଆଗାମୀ ଦିନରେ କାର୍ଯ୍ୟକ୍ରମ ପରିଚାଳନା ନେଇ ମତ ପ୍ରଦାନ କରିଥିଲେ । ପିପିଟି ମାଧ୍ୟମରେ ଜିଲ୍ଲାର ସମସ୍ତ ମଣ୍ଡଳରୁ ଆସିଥିବା ସକ୍ରିୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟଙ୍କୁ ଅବଗତ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ସେବା ସଂକଳ୍ପ ଟିମ୍ ସଦସ୍ୟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, କୁଶ ତାତି, ଶାନ୍ତିଲତା ମାଝୀ, ସ୍ବତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି, ପୂର୍ବତନ ଜିଲ୍ଲା ପରିଷଦ ଦଶରଥ ପଡ଼ିଆମି, ପୂର୍ବତନ ବିଧାୟକ ଡମ୍ବରୁ ସୀସା, ଜିଲ୍ଲା ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନିହାର ରାୟ ସମେତ ଜିଲ୍ଲା ପଦାଧିକାରୀ, ନେତୃବୃନ୍ଦ, ମହିଳା ନେତ୍ରୀ ଓ କାର୍ଯ୍ୟକର୍ତ୍ତାମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ