
ମାଲକାନଗିରି, ୩୧ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପପୁଲୁର ଅଞ୍ଚଳରୁ ୨ ଜଣ ବ୍ୟକ୍ତି ଏକ ନମ୍ବର ବିହୀନ ବାଇକ୍ ଏବଂ ସ୍କୁଟିରେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ଚଢ଼ଉ କରି ସେମାନଙ୍କ ଠାରୁ ମୋଟ ୫୦ କେଜି ଗଞ୍ଜେଇ ଜବତ କରିଛି। ବେଆଇନ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଆନ୍ଧ୍ରପ୍ରଦେଶ ଡରକାଶ ହର୍ମାମମ ଥାନା ଅଧିନସ୍ଥ ମାଛାଭରମ ଗ୍ରାମର ଏନ୍ ଯୋଗୀ ଭିଗେନ୍ଦ୍ର ରେଡି (୨୦) ଏବଂ ଉକ୍ତ ଥାନା ଅଞ୍ଚଳର ରୋହନ ଆବାସ (୨୦) ବୋଲି ଜଣାପଡିଛି।
ପୋଲିସ ସୂଚନା ଅନୁଯାୟୀ, ଗୋଟିଏ ନମ୍ବର ବିହୀନ ବାଇକ୍ ଓ ସ୍କୁଟି ନଂ(ଏପି ୩୯ ଡିଇ ୪୦୬୮) ଯୋଗେ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୌତମ ହରିଜନଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ପପଲୁର ରାସ୍ତା ଏବଂ ଚିତ୍ରକୋଣ୍ଡା ଡ୍ୟାମର ମୁଖ୍ୟ ଫାଟକ ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଏବଂ ସ୍କୁଟିକୁ ଅଟକାଇ ଯାଞ୍ଚ କରିବାରୁ ୨ଟି ଗାଡ଼ିରେ ଥିବା ଜରି ବସ୍ତାରେ ୨୫ କେଜି ଲେଖାଏଁ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପୋଲିସ ଦୁଇ ଗାଡି ସହ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ବାଇକ ଚାଳକଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଏନେଇ ଥାନାରେ କେସ୍ ନମ୍ବର ୯୦୯/୧୭୮୦ରେ ଏକ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏସ୍ଆଇ ସର୍ବେଶ୍ୱର ଭୋଇ ଏହି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଖଣ୍ଡେଇ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ