
ଭୁବନେଶ୍ୱର,୩୧ ଅଗଷ୍ଟ (ହି.ସ) - ବିଜୁ ବାବୁଙ୍କ ନାମ ନେଇ ବିଜେଡି ଗତ ୨୪ ବର୍ଷ ଶାସନରେ ଓଡ଼ିଶାର ବିକାଶରେ କିଛି ବି କରିନାହିଁ। ଯେଉଁ ବିଜୁବାବୁଙ୍କ ନାମରେ ଦଳ ଗଠନ କରି ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ବିଜୁବାବୁଙ୍କ ଫଟୋ ମଧ୍ୟ ବିଜେଡି ବ୍ୟାନର ବା ପତାକାରେ ସ୍ଥାନ ପାଇଲା ନାହିଁ। କୃଷି, ଶିକ୍ଷା, ପର୍ଯ୍ୟଟନ, ଖଣିଜ ସମ୍ପଦ ଓ ବନଜ ସମ୍ପଦକୁ ନେଇ ବିଜେଡି କେବଳ ରାଜନୀତି କରି କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ପ୍ରଚାରିତ କରି ଏଠି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇଲା। ଶାଗ, ମାଛ ଦରରେ ଖଣିଜ ସମ୍ପଦକୁ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଟେକି ଦେଇ ବ୍ୟାପକ ମୁନାଫା କମାଇଥିଲା ବିଜେଡି। କୌଣସି କ୍ଷେତ୍ରରେ ସୁଯୋଗ ନ ମିଳିବାରୁ ଓଡିଶାର ଅନେକ ପରିବାରର ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଯୁବକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିଲେ। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ମହିଳା ନିର୍ଯ୍ୟାତନା ଓ କୃଷି କ୍ଷେତ୍ରରେ ଶୀଥିଳତା ସହ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଭରି ରହିଥିଲା। ସରକାରୀ ବାବୁମାନେ ହିଁ ରାଜ୍ୟ ଚଳାଉଥିଲେ ଓ ରାଜକୋଷ ଲୁଟ କରୁଥିଲେ। ଖଣିଜ ସମ୍ପଦରେ ବ୍ୟାପକ ଲୁଟକୁ ନେଇ ଶାହ କମିଶନଙ୍କ ନିର୍ଦ୍ଦେଶକୁ ଗତ ସରକାର ଶୀତଳଭଣ୍ଡାରରେ ପକାଇ ଦେଇ ଦୁର୍ନୀତିଗ୍ରସ୍ତ ଖଣିମାଲିକମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ ବୋଲି ଏକ ପ୍ରେସ ବିବୃତି ଜରିଆରେ ବିଜେପି ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଦର୍ଶାଇଛନ୍ତି।
ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି ଯେ, ମିଛରେ ଖଣିଜ ସମ୍ପଦକୁ ସୁରକ୍ଷା ଦେବାପାଇଁ ଓ ଓଡିଶାର ହକ ନେବାପାଇଁ ସୁପ୍ରିମକୋର୍ଟରେ ବଡ଼ବଡ଼ ଓକିଲଙ୍କୁ କୋଟି କୋଟି ଟଙ୍କାର ଫି ଦେଇ ଦୀର୍ଘ ୨୦ ବର୍ଷ ନାଟକ କରୁଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏଥିସହ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭୂଲୁଣ୍ଠିତ କରି ଚାଲିଥିଲେ ଶ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଗତ ଅଣଓଡ଼ିଆ ସରକାରୀ ବାବୁମାନେ। ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବାଠାରୁ ଓଡିଶାକୁ ଫୋକସ ଦେଇଥିଲା କେନ୍ଦ୍ରର ବିଜେପି ସରକାର।କିନ୍ତୁ ଶ୍ରୀ ନବୀନ ପଟ୍ଟନାୟକ ସେହି ଯୋଜନା ଗୁଡ଼ିକରୁ କିଛି ନିଜ ନାମରେ ପ୍ରଚାରିତ କରୁଥିବାବେଳେ ଆଉ କିଛି ଯୋଜନାଗୁଡିକୁ ବାଟମାରଣା କରି ତାହାକୁ ସମ୍ପୂର୍ଣ୍ଣ କରି ପାରିନଥିଲେ। ଫଳରେ ଅନେକ ଅର୍ଥ ବ୍ୟବହାର ନ ହୋଇ ଫେରି ଯାଉଥିଲା। ବାଲିମାଫିଆ, ଖଣି ମାଫିଆ, ଗୋମାଫିଆ ଓ ଭୂମାଫିଆଙ୍କୁ ସୁରକ୍ଷା ଦେଉଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ସହଯୋଗ ଓ ଓଡିଶା ପ୍ରତି ଫୋକସ ଯୋଗୁଁ ଓଡ଼ିଶାରେ ଏବେ ଶିଳ୍ପାୟନ ବୃଦ୍ଧି ପାଇଛି। ଧାନର ଏମ୍ଏସ୍ପି ମୂଲ୍ୟ ବୃଦ୍ଧି କରାଯାଇଥିବାରୁ ତଥା ଯୁବ ଗୋଷ୍ଠୀଙ୍କୁ ରାଜ୍ୟରେ ଆତ୍ମନିଯୁକ୍ତି ଯୋଗାଇ ଦିଆଯାଉଥିବାରୁ ଦାଦନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇଛି।
ରାଜ୍ୟ ବିଜେପି ସରକାର ସଂଘୀୟ ନିୟମ ଅନୁସାରେ କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ ରାଜ୍ୟରେ ସାମୁହିକ ବିକାଶ ନିମନ୍ତେ ପ୍ରଚେଷ୍ଟା କରୁଛନ୍ତି। ଫଳରେ ଓଡ଼ିଶାରେ ବିଦେଶ ଓ ଜାତୀୟସ୍ତରରୁ ବ୍ୟାପକ ପୁଞ୍ଜି ନିବେଶ ହେବାକୁ ଯାଉଛି। ସାମଗ୍ରିକ କ୍ଷେତ୍ରରେ ସମୃଦ୍ଧି ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ବ୍ୟାପକ ପ୍ରଚେଷ୍ଟା ଚଳାଇଛନ୍ତି। ମୋଦୀଜୀଙ୍କ ନେତୃତ୍ୱ ଯୋଗୁଁ ପୂର୍ବ ଭାରତ ବିକାଶରେ ଓଡିଶା ସର୍ବାଗ୍ରେ ଅଛି। କିନ୍ତୁ ଖଣି ଦୁର୍ନୀତିରେ ସାମିଲ ଥିବା ବିଜେଡି ଏବେ ରାଜ୍ୟର ଖଣିଜ ସମ୍ପଦ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ନୂତନ ଭାବେ ଏମ୍ଏମ୍ଡିଆର ଆଇନ ଓଡିଶା ସମେତ ସମସ୍ତ ରାଜ୍ୟକୁ ସେମାନଙ୍କ ପ୍ରାପ୍ୟ ଦେବା ସହ ରାଜ୍ୟ ଗୁଡିକର ବିକାଶରେ ସାହାଯ୍ୟ କରିବ। ବିଜେଡି ସମୟରେ ଖଣିଜ ସମ୍ପଦରୁ ରାଜସ୍ୱ ୫ ହଜାର କୋଟି ଥିବାବେଳେ ଏବେ ତାହା ୫୫ ହଜାର କୋଟିରେ ପହଂଚିଛି। ଡ଼ିଏମ୍ଏ ଫଣ୍ଡ ଦ୍ୱାରା ବିଜେଡି ନିଜର ଦଳୀୟ ସମ୍ପତି ଠୁଳ କରୁଥିବାବେଳେ ଏବେ ତାହାର ପରିବର୍ତନ କରାଯାଇ ସାଧାରଣ ନାଗରିକଙ୍କ ପାଇଁ ତାହା ବ୍ୟବହାର ହେଉଛି। ତେଣୁ ବିଜେଡି ନିଜର ସ୍ଥିତି ବଜାୟ ରଖିବା ପାଇଁ ଏଭଳି ନାଟକବାଜି କରୁଛି। ଏମ୍ଏମ୍ଡିଆର ଆକ୍ଟକୁ ନେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବିଜେଡି, ଯାହାକି ସଫଳ ହେବନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା