
ଝାରସୁଗୁଡ଼ା, ୩୧ ଅଗଷ୍ଟ (ହି.ସ.)- ଜୀବନର ଅନ୍ଧକାର ମଧ୍ୟରେ ସଂଘର୍ଷ ଅନାଥ ଓ ଅସହାୟ ଶିଶୁଙ୍କ ପାଇଁ ସାହାରା ସାଜିଛି ଝାରସୁଗୁଡ଼ା ଜିଲା ପ୍ରଶାସନ । ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ସହ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ପାଖାପାଖି ୫୦ ଜଣ ଛାତ୍ରୀଛାତ୍ରଙ୍କୁ କାଉନ୍ସେଲିଂ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଉଚ୍ଚଶିକ୍ଷା ପାଇଁ ବଲାଙ୍ଗୀରସ୍ଥିତ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନରେ ନାମ ଲେଖାଯାଇଛି I ନାମ ଲେଖାଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨ ଜଣ ବିଏସସି ଇନ୍ ଏଚ୍ଏଚ୍ ଆଣ୍ଡ୍ ଏ ଡିଗ୍ରୀ କୋର୍ସ, ୨ ଜଣ ଡିପ୍ଲୋମା ଇନ୍ ହାଉସକିପିଙ୍ଗ, ୨ ଜଣ ଡିପ୍ଲୋମା ଇନ୍ ଫ୍ରଣ୍ଟ ଅଫିସ୍ ଏବଂ ୯ ଜଣ ସିସିଏଫ୍ପି ଆଣ୍ଡ୍ ପି କୋର୍ସରେ ପାଠ ପଢ଼ୁଛନ୍ତି। ଛାତ୍ରୀଛାତ୍ରଙ୍କ ସମ୍ପୂର୍ଣ୍ଣ ପାଠପଢ଼ା ଖର୍ଚ୍ଚ ଯଶୋଦା, ସିଏସ୍ଆର୍ ଏବଂ ଡିଏସ୍ଏଫ୍ ଫଣ୍ଡ୍ ମାଧ୍ୟମରେ ବହନ କରାଯିବ। କେବଳ ସେତିକି ନୁହେଁ, ପାଠପଢ଼ା ଶେଷ ହେବା ପରେ ଜିଲାରେ ଆୟୋଜନ ହେଉଥିବା ନିଯୁକ୍ତି ମେଳା ମାଧ୍ୟମରେ ଏହି ସମସ୍ତ ପିଲାଙ୍କୁ ଚାକିରି ସୁଯୋଗ ଯୋଗାଇ ଦିଆଯିବ।
ଅନ୍ୟପକ୍ଷରେ ଯେଉଁ ପିଲାମାନେ ନିଜ ପରିବାର ପାଖରେ ରହି ସାଧାରଣ କୋର୍ସରେ ପଢୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ପ୍ରଶାସନ ନଜର ରଖୁଛି ଜିଲାପାଳ କୁଣାଲ ମୋତିରାମ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବାବେଳେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଏହାର ପରିଚାଳନା କରୁଛନ୍ତି I ଜିଲା ପ୍ରଶାସନର ଏହି ମହତ୍ ପ୍ରୟାସ ଅସହାୟ ପିଲାଙ୍କ ଭବିଷ୍ୟତକୁ ଏକ ନୂଆ ଦିଗ୍ଦର୍ଶନ ଦେଇପାରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ