
ଝାରସୁଗଡ଼ା, ୩୧ ଅଗଷ୍ଟ (ହି.ସ.)- ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ହୋଇଯାଇଛି। ପୌରପରିଷଦରେ ନଗରପାଳ ଗୋପାଳ ଶିତାନି, ଜାତୀୟ ପତାକା ଉତୋଳନ କରିଥିଲେ। ସମସ୍ତ କାଉନସିଲର ତଥା ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସମସ୍ତ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ପୌରୋହିତ୍ୟରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଲୋକମାନଙ୍କର କିପରି ଆସ୍ଥାଭାଜନ ହୋଇ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହେଇପାରିବ ସେ ବିଷୟରେ ଦୃଷ୍ଟିପାତ କରିଥିଲେ । ଆଗାମୀ ଦିନରେ ଆବାସ ଘର, ମୌଳିକ ସୁବିଧା କିପରି ସମସ୍ତ ନାଗରିକ ମାନଙ୍କୁ ଦିଆଯାଇପାରିବ ସେ ବିଷୟରେ ବିଶଦ ଆଲୋଚନା କରିବା ସଙ୍ଗେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି। ଏହି ଅବସରରେ ସାଂସଦ ପ୍ରତିନିଧି ସୁନୀଲ ଦାସ, ମନ୍ତ୍ରୀ ପ୍ରତିନିଧି ତପନ ସ୍ୱାଇଁ, ଅମରେନ୍ଦ୍ର ରାୟ ପ୍ରମୁଖ ଯୋଗଦାନ କରିଥିଲେ।
ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉତ୍କର୍ଷ ସେବା ପ୍ରଦାନ କରିଥିବା ନିମନ୍ତେ ସ୍ବଚ୍ଛ କର୍ମୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ