
ଗଞ୍ଜାମ, ୩୧ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ବିଷମ ଜ୍ୱର ସଚେତନତା ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ମ୍ୟାଲେରିଆର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନ କରାଇଥିଲେ l ଭାରତୀୟ ଚିକିତ୍ସା ବିଜ୍ଞାନରେ ପାଞ୍ଚ ହଜାର ବର୍ଷ ପୂର୍ବରୁ ବିଷମଜ୍ଵର ସମ୍ବନ୍ଧରେ ଲେଖା ଯାଇଛି। ମଶା କାମୁଡ଼ିଲେ ଏହି ରୋଗ ହୁଏ। ଜ୍ୱର ଲାଗିରହିଲେ ସନ୍ତତ, ଚବିଶ ଘଣ୍ଟାରେ ଦୁଇ ଥରେ ଆସିଲେ ସତତ, ପ୍ରତିଦିନ ଥରେ ହେଲେ ଅନ୍ୟେଦ୍ୟୁଷ୍କ, ତିନି ଦିନରେ ଥରେ ହେଲେ ତୃତୀୟକ, ଚାରିଦିନରେ ଥରେ ହେଲେ ଚତୁର୍ଥକ କୁହଯାଏ l ଜ୍ୱର ଆସିଲେ ମୁଣ୍ଡବ୍ୟଥା, ପ୍ରବଳ କମ୍ପ ପରେ ଝାଳ ବାହାରି ଜ୍ୱର ଛାଡି ଯାଏ ପୁଣି ହୁଏ l ମଶା କାମୁଡା, ମଶା ଠାରୁ ନିଜକୁ ରକ୍ଷାକରିବା ପାଇଁ ଘର ଚାରିପାଖ ସଫା ରଖନ୍ତୁ, ପାଣି ଜମିବାକୁ ଦିଅନ୍ତୁ ନାହିଁ, ନିମ୍ବ ତେଲ ଦେହରେ ଲଗାନ୍ତୁ l ଗଙ୍ଗଶିଉଳି ପତ୍ର ରସ, କଣ୍ଟା ମାରିଶ ମୂଳ, ଶଙ୍ଖପୁଷ୍ପୀ ଯେକୌଣସି ଗୋଟିଏ ଚିକିତ୍ସକଙ୍କ ପରାମର୍ଶରେ କିଛିଦିନ ଖାଇଲେ ଜ୍ୱର ଭଲ ହୋଇଯାଏ l ଏହି ପାରାସଇଟ ଯକୃତରେ ଲୁଚନ୍ତି ଏଣୁ ଜ୍ୱର ଭଲହେବା ପରେ ମଧ୍ୟ କିଛିଦିନ ଔଷଧ ଖାଇବାକୁ ପଡେ। ମଶା ଘଉଡାଇବା ପାଇଁ ନିମ୍ବ ପତ୍ର, ବେଗୁନିଆ ପତ୍ର, ଝୁଣା ଧୂପ ଓ ନିମ୍ବ ତେଲ ଦୀପ ଦେଲେ କିଛି ଦିନ ମଶା ଆସନ୍ତି ନାହିଁ l
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ