
ଝାରସୁଗୁଡ଼ା, ୩୧ ଅଗଷ୍ଟ (ହି.ସ.)- ପରିବେଶ ସନ୍ତୁଳନ ଓ ସବୁଜିମା ବୃଦ୍ଧି ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ ସ୍ୱରୂପ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କୋଲାବିରା ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ଜଙ୍ଗଲ କିସମ ଜମିରେ ‘ମିଆୱାକି’ ପଦ୍ଧତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି। କମ୍ ସ୍ଥାନରେ ଅତି ଶୀଘ୍ର ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କୋଲାବିରା ବନାଞ୍ଚଳ ଅଧୀନରେ ଥିବା କୋଲାବିରା ଭି.ଏଫ୍. ର ପ୍ରାୟ ୮ ହେକ୍ଟର ପରିମିତ ଗ୍ରାମ୍ୟ ଜଙ୍ଗଲ ଜମିରେ ଏହି ଅଭିନବ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ଅଞ୍ଚଳରେ ବିଭିନ୍ନ ପ୍ରଜାତିର ସମୁଦାୟ ୬୪,୦୦୦ ଉପଯୋଗୀ ଚାରା ରୋପଣ କରାଯାଇଛି। ମିଆୱାକି ଶୈଳୀରେ ଗଛଗୁଡ଼ିକ ଅତି ପାଖାପାଖି ଲଗାଯାଇଥିବାରୁ ଏହା ପାରମ୍ପରିକ ଜଙ୍ଗଲ ତୁଳନାରେ ଦଶ ଗୁଣ ଶୀଘ୍ର ବୃଦ୍ଧି ପାଇବ ଏବଂ ଜୈବବିବିଧତା ବୃଦ୍ଧି କରିବାରେ ସହାୟକ ହେବ। ଏହି ସମଗ୍ର ବୃକ୍ଷରୋପଣ ଅଭିଯାନ କୋଲାବିରା ରେଞ୍ଜର ସୁଦାମ ଜଗଦଲାଙ୍କ ତତ୍ତ୍ୱାବଧାନ ଓ ଫରେଷ୍ଟ ଟିମ୍ ର ସକ୍ରିୟ ସହଯୋଗରେ ସମ୍ପାଦିତ ହୋଇଛି।
ଏହି ଅବସରରେ ଫରେଷ୍ଟର ଆଶାରାଣୀ ବେହେରା ଏବଂ କୋଲାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନକୁ ରୋକିବା, ଭୂତଳ ଜଳସ୍ତର ବୃଦ୍ଧି କରିବା ଏବଂ ପରିବେଶକୁ ସୁସ୍ଥ ରଖିବାରେ ଏହି ମିଆୱାକି ଜଙ୍ଗଲ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ଓ ପରିବେଶପ୍ରେମୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ