ଝାରସୁଗୁଡ଼ାରେ କାର୍ ସହ ୬୧.୨୮୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Police arrest ganja Mafia
ପୋଲିସ ଦ୍ୱାରା ଗିରଫ


ଝାରସୁଗୁଡ଼ା, ୩୧ ଅଗଷ୍ଟ, (ହି.ସ.)- ଝାରସୁଗୁଡ଼ା ପୁଲିସ ପକ୍ଷରୁ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ବିଶ୍ୱସ୍ତ ସୂଚନା ଆଧାରରେ ପୁଲିସ ୬୧.୨୮୦ କିଲୋଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ଜବତ କରିବା ସହ ଏକ ସୁଜୁକି ଏର୍ଟିଗା କାର୍କୁ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଝାରସୁଗୁଡ଼ାର ଚିଠୁଆପଡ଼ା ଛକ ନିକଟରେ ଓଡି-୨୩-ଏମ-୭୩୪୯ ନମ୍ବର ବିଶିଷ୍ଟ ଏକ ସୁଜୁକି ଏର୍ଟିଗା କାର୍ରେ ଗଞ୍ଜେଇ ମହଜୁଦ ରହିଥିବା ପିୋଲିସ ଖବର ମିଳିଥିଲା। ଏହାପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ଘଟଣାସ୍ଥଳରେ ଚଢ଼ଉ କରାଯାଇଥିଲା। ତଦନ୍ତ ସମୟରେ କାର୍ ର ଚାବି କେୟାରଟେକର କୁନ୍ଦନ ସାହୁଙ୍କଠାରୁ ଜବତ କରାଯାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଏନଡିପିଏସ୍ ଆଇନର ସମସ୍ତ ବାଧ୍ୟତାମୂଳକ ପ୍ରକ୍ରିୟା ପାଳନ କରି କାର୍ ର ତଲାସୀ ନିଆଯାଇଥିଲା। ତଲାସି ବେଳେ କାର୍ ଭିତରୁ ମୋଟ ୬୧.୨୮୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ଝାରସୁଗୁଡ଼ା ଥାନା କେସ୍ ନଂ-୫୧୯, ତାରିଖ ୩୦.୦୮.୨୦୨୬, ଏନଡିପିଏସ୍ ଆଇନର ଧାରା ୨୦(ବି)(ii)(ସି), ୨୫ ଓ ୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କୁନ୍ଦନ ସାହୁ (୩୫) ଝାରସୁଗୁଡ଼ା ପୁରୁଣାବସ୍ତି ଅଞ୍ଚଳର। ତାଙ୍କୁ ୩୦ ଅଗଷ୍ଟରେ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା।ପୁଲିସ ଜବତ ଗଞ୍ଜେଇର ଉତ୍ସ, ଏହାର ଗନ୍ତବ୍ୟସ୍ଥଳ ଏବଂ ଏହି ଚୋରାଚାଲାଣ ଚକ୍ରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରଖିଛି।

ଝାରସୁଗୁଡ଼ା ପୁଲିସ ପକ୍ଷରୁ କୁହାଯାଇଛି ଯେ, ମାଦକ ଦ୍ରବ୍ୟର ବେଆଇନ କାରବାର, ପରିବହନ ଓ ମହଜୁଦ ବିରୋଧରେ ସେମାନଙ୍କର ଶୂନ୍ୟ-ସହନଶୀଳତା ନୀତି ଜାରି ରହିଛି। ସାଧାରଣ ଲୋକଙ୍କୁ ମଧ୍ୟ ଏଭଳି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ପୁଲିସକୁ ସୂଚନା ଦେବାକୁ ଆହ୍ୱାନ କରାଯାଇଛି। ପୁଲିସ କହିଛି, ନାଗରିକଙ୍କ ଦ୍ୱାରା ପ୍ରଦତ୍ତ ସୂଚନାକୁ ଆଇନ ଅନୁଯାୟୀ ଗୋପନୀୟ ଭାବେ ପରିଚାଳନା କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande