କୋଲାବିରା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୪୬ଟି ଅଭିଯୋଗ ମଧ୍ୟରୁ ୩ଟିର ସଦ୍ୟ ସମାଧାନ
Public grievance in Kolabira block
ଜିଲ୍ଲାପାଳ ଙ୍କ ଜନଶୁଣାଣି


ଝାରସୁଗୁଡା, ୩୧ ଅଗଷ୍ଟ (ହି.ସ.)- କୋଲାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଏକ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଯୋଗଦେଇ ସାଧାରଣ ଜନତାଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରିଥିଲେ। ତାଙ୍କ ସହିତ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଉପସ୍ଥିତ ରହି ଆବେଦନଗୁଡ଼ିକର ସମୀକ୍ଷା କରିଥିଲେ।

ଆଜିର ଏହି ଶିବିରରେ ମୋଟ ୪୬ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୂହିକ ଗ୍ରାମବାସୀଙ୍କ ତରଫରୁ ଦାଖଲ ହୋଇଥିବା ଅଭିଯୋଗ ଥିଲା। ସେଥିମଧ୍ୟରୁ ୩ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିଲା। ଶିବିରରେ ମୁଖ୍ୟତଃ ଜମି ପଟ୍ଟା ପ୍ରଦାନ, ଜମିଜମା ରେକର୍ଡର ଦ୍ୱିତୀୟ କଲମ ସଂଶୋଧନ, ଜବରଦଖଲ ଉଚ୍ଛେଦ, ଗଛ କଟା ସମ୍ପର୍କିତ ବିବାଦ, ଡ୍ରେନେଜ୍ ସମସ୍ୟା, ରାସ୍ତା ନିର୍ମାଣ, କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ଗ୍ରାମାଞ୍ଚଳରେ ମଦ ଭାଟି ବନ୍ଦ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଲୋକେ ଦାବି ଜଣାଇଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ତଦନ୍ତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande